ସକାଳୁ ସକାଳୁ ରାତି ଭ୍ରମ, କଳାହାଣ୍ଡିଆ ମେଘ ଘୋଟି ପ୍ରବଳ ଛେଚିଲା
Weather Update: ସକାଳୁ ସକାଳୁ କଳାହାଣ୍ଡିଆ ମେଘ ଘୋଟି ଆସିଲା । ଦେଖୁ ଦେଖୁ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷିଲା । ତା ସାଙ୍ଗକୁ ପ୍ରବଳ ବେଗରେ ବୋହିଲା ପବନ । ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ସକାଳୁ ସକାଳୁ ଏମିତି ପାଗ ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ସକାଳେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଛି । 40-50 କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ଏବଂ ବର୍ଷା ହୋଇଛି । ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ପ୍ରାୟ ଘଣ୍ଟାଏ ଧରି ବର୍ଷା ଓ ପବନ ଲାଗି ରହିଥିଲା ।

ପ୍ରବଳ ବର୍ଷା ମଧ୍ୟରେ ବାଲେଶ୍ୱର ଜାନୁଗଞ୍ଜ ନୋଡାଲ ସ୍କୁଲରେ ହୋଇଥିଲା ପରୀକ୍ଷା । ପିଲାମାନେ ପରୀକ୍ଷା ଦେବା ସମୟରେ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ପିଲାମାନେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ସୂଚନାଥାଉକି, ଆଗାମୀ 4 ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । 4 ଦିନ ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ଉପରେ ରହୁଥିବାବେଳେ ଶନିବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 37.7 ଡିଗ୍ରୀ ରହିଥିଲା ।
ଆସନ୍ତାକାଲି ଅର୍ଥାତ୍ 19 ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା ରହିଛି । ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । 19 ତାରିଖରେ 12 ଜିଲ୍ଲାରେ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି 14 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗିର, ରାୟଗଡା ଏବଂ ନବରଙ୍ଗପୁର କୁ ସତର୍କତା ଜାରି କରାଯାଇଛି ।
ସେହିଭଳି 20 ତାରିଖରେ 4 ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ 5 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ପଶ୍ଚିମା ଝଡର ପ୍ରଭାବ ରହିଛି । ଏହି ନିୟାମକ ଅନୁସାରେ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ଜନିତ ବର୍ଷା ଲାଗିରହିଛି ।
21 ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ବର୍ଷା ପ୍ରଭାବରେ ସ୍ବାଭାବିକ ଠାରୁ 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ହେଲେ ବି କିଛି ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପର୍ଯ୍ୟନ୍ତ ରହିବା ସହ ଗରମ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି ।












Click it and Unblock the Notifications