ଆସୁଛି ଲଘୁଚାପ; ଏହି ତିନି ଜିଲ୍ଲାରେ ପ୍ରବଳ ବର୍ଷିବ, ଅଶାନ୍ତ ରହିବ ସମୁଦ୍ର
Weather Update: ସୃଷ୍ଟି ହୋଇଛି ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବ ବର୍ଷା । ଧୀରେ ଧୀରେ ବଢିବ ବର୍ଷାର ପରିମାଣ । 16 ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଗତିକରିବ । କାଲି ଠୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବାୟୁମଣ୍ଡଳ ମଧ୍ୟ ଭାଗ ଯାଏଁ ଏହା ଲାଗିଛି । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବ । 16ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଉତ୍ତର ପଶ୍ଚିମ ଦିଗରେ ଏହା ଗତିପଥ ବଦଳାଇବ ।
ଏହାର ପ୍ରଭାବରେ 15 ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବ । ଏହା ପରେ 16 ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି 17 ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 15 ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ । 16 ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । 17 ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଯେହେତୁ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇ ସାରିଛି ଓ ଅବପାତରେ ପରିଣତ ହେବ । ତେଣୁ 15 ତାରିଖ ଠାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ 40-50 କିଲୋମିଟର ବେଗରେ ଝଡ଼ ପବନ ବହିବ । 16 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ପାଖାପାଖି ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି 45-55 କିଲୋମିଟର ହେବ । ପବନର ବେଗ ସର୍ବାଧିକ 65 କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । 17 ଓ 18 ତାରିଖରେ ଓଡ଼ିଶା ଉପକୂଳର ଆଖପାଖ ଅଞ୍ଚଳ ସହିତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟ ପବନର ବେଗ ଘଣ୍ଟା ପ୍ରତି 45-55 କିମି ଓ ସର୍ବାଧିକ 65 କିମି ରହିବ । ତେଣୁ ସମୁଦ୍ର ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ 15 ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । 14 ରାତି ସୁଦ୍ଧା ଗଭୀର ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications