କଲବଲ କରୁଛି ଜାଡ଼, ଆହୁରି 2 ଦିନ ରହିବ ଥଣ୍ଡା କହର
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଶୀତ ଲହର । କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଥଣ୍ଡା । କଲବଲ କରୁଛି ଶୀତଳ ପବନ ।
ଗତକାଲି ରାତିରେ ରାଜ୍ୟର 10 ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ଥିବା ଜଣାଯାଇଛି । ପାହାଡ଼ିଆ ଅଞ୍ଚଳ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି । ସେଠାରେ ସର୍ବନିମ୍ନ ତାପମାତ୍ରା 6.5 ଡିଗ୍ରୀ ରେକର୍ଡ କରାଯାଇଛି ।

ଏଣେ ସମତଳ ଅଞ୍ଚଳ ଭାବେ ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ 7 ଡିଗ୍ରୀ ଏବଂ କୋରାପୁଟ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 8.5 ଡିଗ୍ରୀ ରହିଛି । ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା 8.7 ଡିଗ୍ରୀ, କେନ୍ଦୁଝରରେ 8.8 ଡିଗ୍ରୀ, ସୁନ୍ଦରଗଡ଼ରେ 9, ଝାରସୁଗୁଡ଼ାରେ 9.2 ଡିଗ୍ରୀ, ଦାରିଙ୍ଗିବାଡ଼ିରେ 9.5 ଡିଗ୍ରୀ, ଅନୁଗୁଳରେ 9.6 ଡିଗ୍ରୀ, ରାଉରକେଲାରେ 9.6 ଡିଗ୍ରୀ ରେକର୍ଡ ହୋଇଛି । ଏହାଛଡ଼ା ଭଦ୍ରକ ଜିଲ୍ଲାର ରାଣୀତାଲରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ପ୍ରମୁଖ ସର୍ବନିମ୍ନ ରାତ୍ରି ତାପମାତ୍ରା pic.twitter.com/sElLYAyRmY
— Meteorological Centre, Bhubaneswar (@mcbbsr) December 19, 2023
ସେହିପରି କଟକରେ ରାତ୍ରି ତାପମାତ୍ରା 13.5 ଡିଗ୍ରୀ ରେକର୍ଡ କରଯାଇଥିବାବେଳେ ଭୁବନେଶ୍ୱର ତାପମାତ୍ରା 13.8 ଡିଗ୍ରୀ ରେକର୍ଡ କରାଯାଇଛି ।
ଆହୁରି 2 ଦିନ ଏମିତି ଥରାଇବ ଶୀତ । ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡ଼ି ପଡ଼ିବ । 20 ତାରିଖ ପରେ ଶୀତ କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ସେ ପୂର୍ବାନୁମାନ କରି କହିଛନ୍ତି, ଦକ୍ଷିଣ କେନ୍ଦ୍ରୀୟ ଉପକୂଳରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଦକ୍ଷିଣ ଆଭ୍ୟନ୍ତରୀଣ ବିଶେଷ କରି ଛତିଶଗଡ଼ ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ 21 ଓ 22 ତାରିଖ, ଦୁଇ ଦିନ ଭିତରେ ରାତି ତାପମାତ୍ରା 2 ଡିଗ୍ରୀ ବଢ଼ିବ । ଏହାର ପର ଦୁଇ ଦିନ ଅର୍ଥାତ୍ 23 ଓ 24 ରେ ଅପରିବର୍ତ୍ତିତ ରହିବ । ସେହିଭଳି ଉତ୍ତର ପୂର୍ବ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ 21,22 ଓ 23 ତାରିଖ ଭିତରେ ତାପମାତ୍ରା 3 ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନ ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।












Click it and Unblock the Notifications