ପାଣିପାଗ ଅପଡେଟ୍: ଆକାଶରୁ ହଟିଲା ବାଦଲ, ଖସୁଛି ପାରଦ, କୋରାପୁଟରେ 11 ଡିଗ୍ରୀ
Weather update: ଡିସେମ୍ବର ମାସ ବି ଓଡ଼ିଶାରେ ଅନୁଭୂତ ହେଉନି ଶୀତ । ଏ ବେଳକୁ ଓଡ଼ିଶା ଥଣ୍ଡା ପାଗରେ ଥରହର ହେବ କଥା । କିନ୍ତୁ ମାର୍ଗଶୀର ମାସ ଅଧା ସୁଦ୍ଧା ମଧ୍ୟ ଶୀତର ଦେକାନାହିଁ । ଯଦିଓ ବାତ୍ୟା ପ୍ରଭାବରେ ରାଜ୍ୟରେ ଗତ 3-4 ଦିନ ଧରି କୋହଲା ପାଗ ଥିବାରୁ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲା ।

ଏହା ପରେ ବର୍ତ୍ତମାନ ଆକାଶରୁ ବାଦଲ ହଟିବା ପରେ ଧୀରେ ଧୀରେ ଖସୁଛି ପାରଦ । ରାତି ବେଳା ତାପମାତ୍ରା ହ୍ରାସ ହେଉଛି । ଆଗାମୀ 2 ଦିନ ଭିତରେ ରାତିର ତାପମାତ୍ରା ଆହୁରି 3-5 ଡିଗ୍ରୀ ଯାଏଁ ଖସିବ । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପାଣିପାଗ ବିଜ୍ଞାନ ସୂଚନା ଅନୁସାରେ, ଏବେ ସାରା ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ 4-8 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ବର୍ତ୍ତମାନ ସମୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 9.2 ଡିଗ୍ରୀ ରହିବା କଥା ମାତ୍ର ତାହା 14.8 ଡିଗ୍ରୀ ରହିଛି । ଝାରସୁଗୁଡା ଓ ସୁନ୍ଦରଗଡରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ 13.6 ଓ 11.2 ଡିଗ୍ରୀ ରହିବା କଥା, କିନ୍ତୁ ଏବେ ରହିଛି 16-18 ଡିଗ୍ରୀ । କୋରାପୁଟ ହିଲ୍ ଷ୍ଟେସନ ବ୍ୟତୀତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ତଳକୁ ନାହିଁ ।
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଏଥର ପୂର୍ବ ପାର୍ଶ୍ୱରୁ ଓଡିଶାକୁ ଲଗାତର ଭାବେ ବାତ୍ୟା ରହିଥିଲା । ଏଥିସହ ପଶ୍ଚିମ ବାୟୁ ଆସୁ ନଥିବାରୁ ଶୀତ ହେଉ ନଥିଲା । ଏବେ ପଶ୍ଚିମାବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡିପାରେ । ତେବେ, ଚଳିତ ବର୍ଷ ଲଗାତର ଭାବେ ଶୀତ ହେବ ନାହିଁ । ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣି ପାରଦ ଉପର ମୁହାଁ ହୋଇଯିବ । ପରେ ଏଭଳି ସ୍ଥିତିରେ ଜାନୁୟାରୀ ଶେଷ ନଚେତ୍ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।












Click it and Unblock the Notifications