ଶୀତରେ ଥରୁଛି ସାରା ଓଡ଼ିଶା, 5 ଡିଗ୍ରୀକୁ ଖସିଲା ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା
ଭୁବନେଶ୍ୱର: ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା । ପାରଦ ତଳମୁହାଁ ହେବା ଫଳରେ ସାରା ରାଜ୍ୟରେ ଥଣ୍ଡା ପଡ଼ୁଛି । ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା 2-3 ଡିଗ୍ରୀ ତଳକୁ ଖସି ଆସିଛି । ଏପରିକି 14 ସହରରେ ରାତିର ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ କିମ୍ବା ତା'ଠାରୁ କମ୍ ରହିଛି । ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ 5 ଡିଗ୍ରୀ ରେକର୍ଡ କରାଯାଇଛି ।

ଗତ କିଛିଦିନ ହେଲା ଶୀତ ସହ 8ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଶୀତ ପଡ଼ିଥିବା ବେଳେ କେନ୍ଦୁଝରରେ ଗତ 4 ଦିନ ହେଲା ଅଚାନକ ଥଣ୍ଡା ପଡିଛି । ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ତେବେ ପ୍ରବଳ ଥଣ୍ଡାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭ୍ୟନ୍ତରିଣ ଅଞ୍ଚଳରେ ଲୋକଙ୍କର ସମସ୍ୟା ପ୍ରତି ସଜାଗ ରହିବାକୁ କୁହାଯାଇଛି ।
ଯେତେବେଳେ କି ଫୁଲବାଣୀରେ 7 ଡିଗ୍ରୀ, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ 7.5, ଅନୁଗୁଳ ଓ କୋରାପୁଟରେ 8, ସେମିଳିଗୁଡ଼ାରେ 8.4, ଦାରିଙ୍ଗବାଡ଼ିରେ 8.5, କେନ୍ଦୁଝର ଓ ରାଉରକେଲାରେ 8.6, ସୁନ୍ଦରଗଡ଼ରେ 8.8, ଭବାନୀପାଟଣାରେ 8.9, ଭଦ୍ରକର ରାଣୀତାଲରେ 9, ଝାରସୁଗୁଡ଼ାରେ 9.2 ଓ ସୋନପୁର ସହରରେ 10 ଡିଗ୍ରୀ ରହିଥିଲା ।
କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନ ସ୍ତର 13 ଡିଗ୍ରୀକୁ ଖସି ଆସିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସଙ୍କ କହିବାନୁଯାୟୀ ଗତ 24 ଘଣ୍ଟାରେ ରାଜ୍ୟର ପାଗ ମୁଖ୍ୟତଃ ଖୁଖିଲା ରହିଥିଲା । କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଓ କୋରାପୁଟରେ କୁହୁଡ଼ି ପଡ଼ିଛି ଏବଂ ଆସନ୍ତା 3 ଦିନ ଯାଏ ଜାରି ରହିବ । 23 ଓ 24 ତାରିଖରେ ତାପମାତ୍ରାରେ ସାମାନ୍ୟ ଏପାଖ ସେପାଖ ହୋଇପାରେ ।
ଆଜି ଓ ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ରାତି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଏଣୁ ଶୀତ କମି ଯାଇପାରେ । କିନ୍ତୁ ପରେ ପରେ ପୁଣି ତାପମାତ୍ରା କମିବ ଓ ଥଣ୍ତା ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି ।












Click it and Unblock the Notifications