ଏବେ ମିଳିବନି ତ୍ରାହି, ଆହୁରି କଲବଲ କରିବ ଗୁଳୁଗୁଳି, ବିଳମ୍ବରେ ଆସିବ ଶୀତ !
ଭୁବନେଶ୍ୱର: ଓଡ଼ିଶାରୁ ଏବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଛି । ଏହି ସମୟରେ ତତଲା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । ସ୍ୱାବାବିକ ଠାରୁ 3-5 ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଅନୁଭୁତ ହେଉଛି ଅସହ୍ୟ ଗୁଳୁଗୁଳି । ଦିନ 11 ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା 35 ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ ।

ଏଥି ମଧ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଏହି ଗୁଳୁଗୁଳିରୁ ମିଳିବନି ନିସ୍ତାର । ଭୁବନେଶ୍ୱରରେ 60 ପ୍ରତିଶତ ଆର୍ଦ୍ରତା ରହିଛି । ଏପରିକି ତାପମାତ୍ରା ଓ ଆର୍ଦ୍ରତା ମିଶି 38 ଡିଗ୍ରୀ ପାଖାପାଖି ତାତି ଅନୁଭବ ହେଉଛି । ଏହା ସହ 21 ସହରର ତାପମାତ୍ରା 35 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।
ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗ । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି । ଆହୁରି ସପ୍ତାହେ ଯାଏଁ ଅସହ୍ୟ ତାତି । 19 କିମ୍ବା 20 ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗରମର ପ୍ରକୋପ କମିବ । ହେଲେ ଦଶହରା ପୂଜା ବେଳକୁ ବର୍ଷା ଆଶଙ୍କା କମ୍ ରହିଛି ।
ପାଣିପାଗ ବିଶେଷଜ୍ଞ କହିଛନ୍ତି, ଅକ୍ଟୋବରରେ ଏଥର ଅଧିକ ତାତି ଅନୁଭୂତ ହେଉଛି । ରାଜ୍ୟକୁ ଉତ୍ତର-ପୂର୍ବ ପବନ ବିଳମ୍ବିତ ହେଉଥିବାରୁ ଥଣ୍ଡା ବଦଳରେ ଗରମ ହେଉଥିବା ସେ କହିଛନ୍ତି । ଅଳ୍ପବହୁତ ଏହି ଭଳି ତାତି ଜାରି ରହିବ ଓ ଦୁର୍ଗାପୂଜା ଆଡ଼କୁ ପାଗ ପରିବର୍ତ୍ତନ ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ।
କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି। ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି ।












Click it and Unblock the Notifications