ଏବେ ଠୁ ଅସହ୍ୟ ହେଲାଣି ତାତି, 34 ଡିଗ୍ରୀ ଡେଇଁଲାଣି ପାରଦ
ଭୁବନେଶ୍ୱର: ଫେବୃଆରୀ ଆରମ୍ଭରୁ ଅସହ୍ୟ ହେଲାଣି ତାତି । ଶୀତ ଲହରୀ କମିବା ସହ ତାତି ର ପ୍ରକୋପ ବଢିଲାଣି । କିନ୍ତୁ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ରାତି 9 ରୁ ସକାଳ 7 ଟା ପର୍ଯ୍ୟନ୍ତ ଘନ କୁହୁଡି ବଳୟ ରହୁଛି । ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ତେବେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା 34.5 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ 34.2, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ 34 ଡିଗ୍ରୀ ଛୁଇଁଲାଣି । ଏହା ବାଦ୍ ଗୋପାଳପୁର, ଛତ୍ରପୁର, ପୁରୀ, ବାଲେଶ୍ୱର, ପାରାଦୀପ, କୋରାପୁଟ, ଦାରିଙ୍ଗବାଡ଼ି, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ 30 ଡିଗ୍ରୀ ଉପରେ ରହିଥିଲା ।
ତେବେ ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି । ଫଳରେ ଆଗକୁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହୋଇପାରେ । ଏଲନିନୋ ପ୍ରଭାବରେ ଖରାର ପ୍ରଭାବ ଅଧିକ ଦିନ ରହିବାକୁ ଥିବାରୁ ଏହାର ପ୍ରଭାବ ମୌସୁମୀ ବାୟୁ ଉପରେ ପଡ଼ିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।












Click it and Unblock the Notifications