ଆହୁରି 2 ଦିନ କୋହଲା ପାଗ, 12ଟି ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି । ତା ସହ ଘନ କୁହୁଡ଼ି ଆବରଣରେ ଢାଙ୍କି ହୋଇ ରହୁଛି ଅନେକ ଜିଲ୍ଲା । ଆଗାମୀ 2 ଦିନ ପର୍ଯ୍ୟନ୍ତ ଏମିତି ପାଗ ଲାଗି ରହିବ । ଏପରିକି ବର୍ଷା ମଧ୍ୟ ଲାଗି ରହିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 12 ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବ । ଏପରିକି ଦୃଶ୍ୟମାନ କ୍ଷମତା 200 ମିଟର ପର୍ଯ୍ୟନ୍ତ ରହିବ । ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ ।
ସେହିପରି ଜାନୁଆରି 25 ସକାଳ 8.30 ରୁ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ ଜିଲ୍ଲାରେ କୁହୁଡ଼ି ଦେଖାଯିବ । ଘନକୁହୁଡ଼ିର ଭିଜିବିଲିଟି 50-200 ମିଟର ରହିବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବଙ୍ଗୋପସାଗର ଓ ତା'ର ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାଛଡ଼ା ଆଉ ଏକ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ୱିଛି । ଏହି ଦୁଇ ପ୍ରକାର ପାଣିପାଗ ପ୍ରଭାବରେ ଆଗମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆନ୍ତାକାଲି କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ବ୍ୟତୀତ ଆଗାମୀ 24 ଘଣ୍ଟାରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ଦିନ ଓ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିନ ତମାମ ଥଣ୍ଡା ଅନୁଭୂତ ହେଉଛି ।












Click it and Unblock the Notifications