କୁହୁଡ଼ି ଚାଦର ତଳେ ଟ୍ୱିନ୍ ସିଟି
ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରିଛି ଶୀତ । ଗତ କିଛି ଦିନ ହେବ ରାତିର ତାପମାତ୍ରା ହ୍ରାସ ହେବା ସହ ଶୀତ ଅନୁଭୂତ ହେଉଛି । ଏହା ସହ କୁହୁଡ଼ି ଆବରଣ ରାଜ୍ୟର ଅନେକ ଅଞ୍ଚଳକୁ ଢାଙ୍କି ରଖିଛି । ଫଳରେ ଭିଜିବିଲିଟି କମିବା ସହ ଯାତାୟତରେ ଅସୁବିଧା ହେଉଛି । ଅନେକ ସ୍ଥାନରେ ଭିଜିବିଲିଟି 50-100 ମିଟର ମଧ୍ୟରେ ରହୁଛି ।

ଭୁବନେଶ୍ୱର-କଟକରେ ଆଜି ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ଦୃଶ୍ୟମାନ କମିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏପଟେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା 19 ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁରର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ବୁଧବାର ପୁରୀରେ ସାମାନ୍ୟ ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କୋରାପୁଟରେ 9.2 ଓ କିରେଇରେ ରାତି ସମୟରେ 10 ଡିଗ୍ରୀ ତାପମାତ୍ରା ରହିଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବାକୁ କମ୍ ଶୀତ ଅନୁଭୂତ ହୋଇଥିଲା ।
ଏପରିକି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କୁହୁଡ଼ି ଯୋଗୁଁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ଜିଲାଗୁଡ଼ିକ ପାଇଁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications