Weather Update: ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା, ଏହି 11 ଜିଲ୍ଲାକୁ ସତର୍କ ସୂଚନା
Weather Update: ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ ଓ କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିଛି । ଏହା ସହ ପ୍ରଚଣ୍ଡ ତାତିରୁ ମିଳିଛି ତ୍ରାହି । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି ।

ଏଥି ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି । ଆଗାମୀ 24 ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ 2-4 ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ହ୍ରାସ ସମ୍ଭାବନା ରହିଛି । ଏହାର 2 ଦିନ ମଧ୍ୟରେ ତାପମାତ୍ରା ପୁଣି 3-4 ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ସୂଚନାଥାଉକି, ଗତକିଛି ଦିନ ହେବ ରାଜ୍ୟରେ ଅସହ୍ୟ ଖରା ସହ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ପ୍ରବଳ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହୋଇଯାଇଥିଲେ । କିନ୍ତୁ ଆଜିର ମେଘୁଆ ପାଗ ଯୋଗୁଁ ଏଥିରୁ ସାମାନ୍ୟ ତ୍ରାହି ମିଳିଛି ।
ଗତକାଲି 5ଟି ସହରର ତାପମାତ୍ରା 40 ଡିଗ୍ରୀ ରହିଥିବାବେଳେ, 41 ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧ ଏବଂ ଟିଟିଲାଗଡ଼ର ତାପମାତ୍ରା 40.5 ଡିଗ୍ରୀ, ବଲାଙ୍ଗିର ରେ 40.2 ଏବଂ ନୟାଗଡ଼ ରେ 40 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି କଟକରେ 37.6 ଏବଂ ଭୁବନେଶ୍ୱରରେ 37 ଡିଗ୍ରୀ ସେଲସିୟସ ରହିଥିଲା ପାରଦ ।
ଆଗାମୀ ଦିନରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ରାତି ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications