ବିରୋଧୀ ମିଛ କାହାଣୀରେ ବିଶ୍ୱାସ କରନ୍ତି, ଆମେ ପ୍ରକୃତ ତଥ୍ୟ ସହ ସାମ୍ନା କରିବା - ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ । ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସଦସ୍ୟ ମାମଙ୍କୁ ପରାମର୍ଶ ଦେବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ଏହି ଅବସରରେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସକ୍ରିୟ ରହିବା ସହ ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବିରୋଧୀ ମିଛ କାହାଣୀରେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ବିଶ୍ୱାସ ରଖନ୍ତି । କିନ୍ତୁ ଆମେ ପ୍ରକୃତ ତଥ୍ୟ ସହିତ ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ସାମ୍ନା କରିବା ଓ ଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ।
ସେ ଆହୁରି କହିଛନ୍ତି, ଛାତ୍ରମାନେ ଦେଶର ଓ ସମାଜର ଭବିଷ୍ୟତ । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ରାଜ୍ୟ ସରକାର ମଜଭୁତ କରିଛନ୍ତି । ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । 2000 ମସିହାରେ ରାଜ୍ୟରେ 6ଟି ବିଶ୍ୱବିଦ୍ୟାଳୟ ଥିଲା । ଆଜି 18 ଟି ବିଶ୍ୱବିଦ୍ୟାଳୟ ହୋଇଛି । 2000 ମସିହାରେ 3ଟି ସରକାରୀ ମେଡିକାଲ କଲେଜ ଥିଲା, ବର୍ତ୍ତମାନ 11 ଟି ସରକାରୀ ମେଡିକାଲ କଲେଜ ହୋଇଛି ।
ସେହିପରି ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତଦାନ ଓ ବୃକ୍ଷରୋପଣ କରୁଥିବାରୁ ବିଜୁ ଛାତ୍ର ଜନତା ଦଳ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ନବୀନ ଓଡ଼ିଶା ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା କ'ଣ ରହିବ, ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଗୁରୁମନ୍ତ୍ର ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ଓ 5000 ହଷ୍ଟେଲ ନିର୍ମାଣ ସହିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଛାତ୍ରବୃତ୍ତି ହ୍ରାସ କରୁଛି । ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । ଟ୍ରାଇବାଲ ୟୁନିଭର୍ସିଟି ସ୍ଥାପନ ପାଇଁ କେନ୍ଦ୍ର ପାଖରେ ଦାବି କରାଯିବ । କେନ୍ଦ୍ର ନ ଶୁଣିଲେ ଜୋରଦାର ଆନ୍ଦୋଳନ କରାଯିବ ।












Click it and Unblock the Notifications