ବଡ଼ ମେଡିକାଲରେ ବଡ଼ ସମସ୍ୟା, ପ୍ରଥମେ ବିଦ୍ୟୁତ୍ ନଥିଲା... ଏବେ ମିଳୁନି ପାଣି....
କଟକ: ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ବଡ଼ ସମସ୍ୟା । ପ୍ରଥମେ ଦେଖାଗଲା ବିଦ୍ୟୁତ୍ ସମସ୍ୟା । ଏହା ପରେ ଏବେ ମିଳୁନି ପାଣି । ଗତକାଲି ରାତିରୁ ମେଡିକାଲ୍ର ବିଭିନ୍ନ ୱାର୍ଡକୁ ଆଦୌ ପାଣି ଆସୁନଥିବା ଦେଖିବାକୁ ମିଳିଥିଲା । ଯଦିଓ ଆଜି ସକାଳେ କିଛି ସମୟ ପାଣି ଆସିଥିଲା, ହେଲେ ଏହା ଯଥେଷ୍ଟ ନୁହେଁ । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି ।
ଏତେ କମ୍ ପାଣି ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗୁଛି । ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଏସସିବି ବାହାରେ ଥିବା ଶୌଚଳାୟାର ନିତ୍ୟକର୍ମ ସାରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଥିବା କୁହାଯାଉଛି । କିନ୍ତୁ ରୋଗୀମାନେ ବିଭିନ୍ନ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି ।
ଏଣେ ୱାଟକୋ ପକ୍ଷରୁ କୁହାଯାଇଛି ଯେ ମେଡିକାଲ ପରିସରରେ ଥିବା ଏକ ପାଇପ୍ ଫାଟିଯାଇଥିବାରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଥିଲା । ଉକ୍ତ ପାଇପ୍ ମରାମତି କରାଯିବା ପରେ ଜଳଯୋଗାଣ ସ୍ବାଭାବିକ ହୋଇଛି ।
ଏହା ପୂର୍ବରୁ ଶନିବାର ଠାରୁ କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା । ଗତକାଲି ରାତି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା । ବିଭିନ୍ନ ୱାର୍ଡରେ ଲାଇନ୍ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ । SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ 6 ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିଲା । ବିଦ୍ୟୁତ ନଥିବାରୁ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଇତ୍ୟାଦି ବନ୍ଦ ରହିଥିଲା । ଫଳରେ ରୋଗୀ, ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ହଇରାଣ ହୋଇଥିଲେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ।












Click it and Unblock the Notifications