ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଡିସେମ୍ବର ୯ ତାରିଖ (ଶନିବାର) ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ । ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଏହି ଭୋଟର ତାଲିକା ସଂଶୋଧନ କରାଯାଉଛି ।
ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜଣାଇଛନ୍ତି ।

ଗତ ନଭେମ୍ବର ମାସ ୫ ତାରିଖ, ୧୧ ତାରିଖ, ୧୯ ତାରିଖ ଏବଂ ୨୫ ତାରିଖ ରାଜ୍ୟର ସବୁ ବୁଥରେ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାଁନ୍ତି, ତା'ହେଲେ ସେମାନେ ଡିସେମ୍ବର ମାସ ୯ ତାରିଖ (ଶନିବାର) ସୁଦ୍ଧା ଅନଲାଇନ ମାଧ୍ୟମରେ voters.eci.gov.in ଦ୍ୱାରା କିମ୍ବା ସଂପୃକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତାବର୍ଷ ଜାନୁୟାରୀ ୫ ତାରିଖ ଦିନ ପ୍ରକାଶ ପାଇବ ।
ଗତ ଅକ୍ଟୋବର ୨୭ରୁ ନଭେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଶେଷ ହୋଇଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ମୋଟ ୫ଲକ୍ଷ ୫୧ହଜାର ୨୩୭ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ୧ଲକ୍ଷ ୮୭ହଜାର ୪୦୫ଜଣ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ।












Click it and Unblock the Notifications