ଜବତ ବାଣ ଓ ମଦ ଚୋରା ଚାଲାଣ କରୁଥିଲା ପୋଲିସ୍, ହୋମଗାର୍ଡ ଅଟକ
ଖୋର୍ଦ୍ଧା : ଜବତ ବାଣ ଓ ମଦ ଚୋରା ଚାଲାଣ କରୁଥିଲା ପୋଲିସ୍ । ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ନେଇ ହୋଇଛି ଅଭିଯୋଗ । ଏ ନେଇ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି ।
ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନରେ ବେଗୁନିଆ ପୋଲିସ କଣ୍ଟାବାଡ ଗାଁରୁ ବିପୁଳ ପରିମାଣର ବାଣ ଓ କିଛି ମଦ ଜବତ କରିଥିଲା । ଦିନରେ ଜବତ ଜିନିଷକୁ ରାତିରେ ଥାନାରୁ ଚେରାଚାଲାଣ କରାଯାଉଥିଲା । ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ହରଡଘଣାରେ ପଡିଛି ପୋଲିସ ।

ଗାଁ ଲୋକ ଏବଂ ସରପଞ୍ଚ ଏହି ଘଟଣା ନେଇ ଖୋର୍ଦ୍ଧା SDPOଙ୍କୁ ଖବର ଦେଇଥିଲେ । ଖୋର୍ଦ୍ଧା SDPO ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଲାଣ ହେଉଥିବା ଗାଡିକୁ ଜବତ କରିଛନ୍ତି । ଚାଲାଣ ବେଳେ ଗାଡିରେ ଜଣେ ହୋମଗାର୍ଡ ଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲିଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି ।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି ଗାଡ଼ିରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ । ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ । ବାଣ ଓ ମଦ ନେଇ ସେମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ। କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ ।
ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିବା ଜଣାପଡ଼ିଛି । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଏହି ଘଟଣାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିବା ଅନ୍ୟ ଜଣେ ହୋମଗାର୍ଡ ଓ କନଷ୍ଟେବଲଙ୍କ ଉପରେ ପୁଲିସ୍ କି କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଜଣାପଡ଼ିନାହିଁ ।












Click it and Unblock the Notifications