ହଷ୍ଟେଲ ନିର୍ମାଣରେ ଅନିୟମିତତା, ସରକାରୀ ପାଣ୍ଠି ଆତ୍ମସାତ ପାଇଁ ବନ୍ଧା ହେଲେ ଦୁଇ ଠିକାଦାର
ଭୁବନେଶ୍ୱର: ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ଦୁଇ ଜଣ । ଗିରଫ ଅଭିଯୁକ୍ତ ହେଉଛନ୍ତି ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣିଂ ଦୀପକ କୁମାର ଅଗ୍ରୱାଲ । ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଗିରଫ କରିଛି । ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ପଚାରାଉଚରା କରାଯାଉଛି ।

ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ 4 ଟି ଶହ ସିଟ୍ ହଷ୍ଟେଲର ନିର୍ମାଣରେ ସରକାରୀ ପାଣ୍ଠି ହେରଫେର ନେଇ ଅଭିଯୋଗ ହୋଇଥିଲା । ଏହା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉନ୍ନତ ମାନର ଜିନିଷ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର । ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ । ଆଜି ଦୁହିଁଙ୍କୁ ରାଉରକେଲାରୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ 5 ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ ।
ଭୁବନେଶ୍ୱର ଆଇଆର୍ସି ଭିଲେଜରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍ଷ୍ଟ୍ରକସନ ଲିଃ.(ଏଚ୍ଏସ୍ସିଏଲ୍) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ 2017-18 ରେ ସ୍ୱତନ୍ତ୍ର ଆର୍ଏଲ୍ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର 100 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା ।
ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେବ ରାଜ୍ୟରେ ଭିଜିଲାନ୍ସ ବହୁ ସକ୍ରିୟ ହୋଇଉଠିଛି । ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଦୁର୍ନୀତିଗ୍ରସ୍ତଙ୍କୁ ଧରୁଛି । ଲାଞ୍ଚ ନେଉଥିବା ସରକାରୀ ବାବୁଙ୍କ ପାଇଁ କାଳ ସାଜିଝନ୍ତି ଭିଜିଲାନ୍ସ ଦଳ । ଜଣକ ପରେ ଜଣକ ଉପରେ ଚଢାଉ କରି ପୁଳା ପୁଳା ଟଙ୍କା ଜବତ କରୁଛନ୍ତି ।












Click it and Unblock the Notifications