ଭଦ୍ରକ ଗସ୍ତରେ ଯାଇ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କଲେ 5-ଟି ଅଧ୍ୟକ୍ଷ, ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର: ଆଜି ଭଦ୍ରକ ଗସ୍ତରେ ଥିଲେ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଗସ୍ତ ସମୟରେ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ମନ୍ଦିର ପ୍ରକଳ୍ପ ପାଇଁ 48 କୋଟି ଟଙ୍କା ମଞ୍ଜୁର ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ ।

ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ମଧ୍ୟରେ 893 କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, 100 କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, 480 କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, 164 କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର 100 ଶଯ୍ୟା ବିଶିଷ୍ଟ Super Speciality Hospital ନିର୍ମାଣ, 47 କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀଠାରେ ବନ୍ଦର ନିର୍ମାଣ, 41 କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରଠାରୁ ଗୁଜିଡହରା ଭାୟା ମା'ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ 27 କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହିସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା 2ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଓ ଗୋଟିଏ ରେଳ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଚାନ୍ଦବାଲିର ଧାନକଣିଆଠାରେ 80 କୋଟି ଟଙ୍କା ବ୍ୟୟରେ ସାଳନ୍ଦି ନଦୀ ସେତୁ, ଭଣ୍ଡାରିପୋଖରୀସ୍ଥିତ କେନ୍ଦୁଆପଦାଠାରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ଚାନ୍ଦବାଲି ପଞ୍ଚୁଟିକିରିଠାରେ ମନ୍ତେଇ ନଦୀ ଉପରେ 52 କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ସେତୁର ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଶେଷକରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଗତ ଜୁନ୍ 12 ତାରିଖରେ ଶ୍ରୀ ପାଣ୍ଡିଆନଙ୍କ ଭଦ୍ରକଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଏହି 3ଟି ପ୍ରକଳ୍ପପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁର ଦେବା ପରେ ଜନଶୁଣାଣି ଭିତ୍ତିରେ ଏହି 3 ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରୁ ଅନେକ ପ୍ରକଳ୍ପ 5T ଅଧ୍ୟକ୍ଷଙ୍କ ଭଦ୍ରକଗସ୍ତ ସମୟରେ ଜନଶୁଣାଣିରେ ମିଳିଥିବା ପ୍ରସ୍ତାବ ଓ ମତାମତ ଭିତ୍ତିରେ ଆସିଥିଲା ଏବଂ ଏସବୁ କାର୍ଯ୍ୟକାରୀ କରାଯାଉଛି ।
ଏହା ସହ ଶ୍ରୀ ପାଣ୍ଡିଆନ ଆରଡି, ଅସୁରାଳି ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ସେସବୁର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।












Click it and Unblock the Notifications