ଦେଖିପାରିଲେନି ପୁତୁରାର ଚିତା ଜଳିବା, ଜୁଇ ପାଖରେ ଟଳି ପଡ଼ିଲେ ବଡ଼ବାପା
ପୁରୀ: ସମ୍ପର୍କରେ ଥିଲା ପୁତୁରା । କିନ୍ତୁ ନିଜ ପୁଅ ଠାରୁ ଥିଲା ଅଧିକ । ପିଲାଟି ଦିନରୁ ଗେହ୍ଲବସରରେ ତାକୁ ବଡ଼ କରିଥିଲେ । ହେଲେ ଆଜି ନିଜ ଆଖି ଆଗରେ ପୁତୁରାର ଚିତା ଜଳିବା ଦେଖି ସହିପାରିଲେନି ବଡ଼ବାପା । ପୁତୁରାର ଜୁଇ ନିକଟରେ ଟଲିପଡ଼ିଲେ ।

ଏମିତି ଏକ କୋହଭରା ଦୃଶ୍ୟଭରା ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାରରେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତି । କୋରାପୁଟରେ ନିଜ ପିଉସୀଙ୍କ ଘରେ ରହୁଥିଲେ । ସେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଏସ୍ସି ପଢ଼ୁଥିଲେ । ଗତ 16 ତାରିଖରେ କୋରାପୁଟ-ଜୟପୁରର ଜରଟି ରେଳ ଷ୍ଟେସନ ନିକଟରେ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିଲା । ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇବା ପରେ ରୁଦ୍ରଙ୍କ ବାପା ଗଗନ ବିହାରୀ ମହାନ୍ତି, ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି ଓ ଦାଦା ଓ ଗାଁର କିଛି ଲୋକ କୋରାପୁଟ୍ ଯାଇଥିଲେ ।
ଶବ ବ୍ୟବଚ୍ଛେଦ ପରେ ରୁଦ୍ରଙ୍କ ମୃତଦେହକୁ ଆଣି ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ପରିବାର ଲୋକ । ରୁଦ୍ରଙ୍କ ଜୁଇ ଜଲିବା ବେଳେ ନିଜ ଆଖି ଆଗରେ ପୁଅଠୁ ଅଧିକ ଭଲ ପାଉଥିବା ପୁତୁରାର ମୃତଦେହ ଜଳୁଥିବା ଦେଖି ଧୈର୍ଯ୍ୟ ଧରି ରହି ପାରିଲେନି ବଡ଼ବାବା ତ୍ରୈଲୋକ୍ୟ ମହାନ୍ତି । କାନ୍ଦି କାନ୍ଦି ସଂଜ୍ଞା ହରାଇ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡ଼ିକାଲ୍ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତର ମୃତ ଘୋଷଣା କରିବା ପରେ ତ୍ରୈଲୋକ୍ୟ ମହାନ୍ତିଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ପରିବାର ଲୋକ । ରୁଦ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତ୍ରୈଲୋକ୍ୟଙ୍କ ମୃତ୍ୟୁ ପୂରା ଗାଁ ସ୍ତବ୍ଧ କରିଦେଇଛି । ତ୍ରୈଲୋକ୍ୟଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।












Click it and Unblock the Notifications