ଦୁଇ ଟ୍ରକ୍ ମଝିରେ ଚାପି ହେଲା କାର୍: 2 ମହିଳା ମୃତ, 5 ଗୁରୁତର
ମୟୂରଭଞ୍ଜ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଦୁଇ ଜୀବନ । ଦୁଇଟି ଟ୍ରକ୍ ମଝିରେ ଚାପି ହୋଇ ଯାଇଛି କାର୍ । ଫଳରେ କାରରେ ଥିବା 2 ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ଅପରାହ୍ନରେ ଏହି ମର୍ମତୁଦ ଦୁର୍ଘଟଣା ଘଟିଛି । 2 ଜଣ ମହିଳାଙ୍କ ମୃତ୍ୟୁ ହେବା ବ୍ୟତୀତ ଆଉ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତାହତମାନେ ଗୋଟିଏ ପରିବାରର ।

ମୃତକଙ୍କ ଘର ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳରେ । ସେମାନେ ବାଙ୍ଗିରିପୋଷି ଘାଟିରେ ଥିବା ଦୁଆରଶୁଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ସେମାନେ କାରରେ ଘାଟି ରାସ୍ତା ଓହ୍ଲାଉଥିବା ବେଳେ ପଛପଟୁ ଏକ ଆଇରନ୍ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ କାର୍ଟି ତା' ଆଗରେ ଥିବା ଆଉ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । କାର୍ଟି ଦୁଇଟି ଯାକ ଟ୍ରକ୍ ମଝିରେ ଚାପିହୋଇ ରହିଯାଇଥିଲା ।
କାର୍କୁ କଟର ମେସିନରେ କାଟି ସମସ୍ତ ମୃତାହତଙ୍କୁ ବାହାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତରେ ଦମକଳ ବାହିନୀ ଓ ପୁଲିସ୍ ଉଦ୍ଧାର କାର୍ଯ୍ୟ କରିଥିଲେ । ଗୁରୁତର ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ 2 ଜଣ ଯୁବତୀ ଅଛନ୍ତି । ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications