ଖୋଲିବ କୋକେନ୍ ରହସ୍ୟ, ଭାଷା ବୁଝିବାକୁ ଆସିଲେ ଟ୍ରାନ୍ସଲେଟର
ପାରାଦୀପ: ଜାହାଜରୁ 22 ପ୍ୟାକେଟ୍ କୋକେନ୍ ମିଳିବା ଘଟଣାର ଛାନଭିନ୍ ଜାରି ରିଖିଛି କଷ୍ଟମ୍ ବିଭାଗ । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯିବାକୁ ଥିବା ଜାହାଜରେ ଏତେ ପରିମାଣର କୋକେନ୍ ମିଳିବା ଘଟଣା ସମସ୍ତଙ୍କୁ ଚକ୍କିତ କରିଥିବା ବେଳେ ଏହା ପଛରେ କାହାର ହାତ ଅଛି ସେ ନେଇ ଖୋଲତାଡ଼ କରାଯାଉଛି । ତେବେ ଜାହାଜ କର୍ମଚାରୀଙ୍କ ଭାଷା ନ ବୁଝି ପାରିବା ଯୋଗୁଁ ତଦନ୍ତ ଆଗକୁ ବଢି ପାରୁନାହିଁ ।

ଏଥିପାଇଁ 2 ଜଣ ଇଣ୍ଟରପ୍ରିଟର ପାରାଦୀପରେ ପହଞ୍ଚିଛନ୍ତି । ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ସେମାନେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସାକ୍ଷାତ କରି ସକାଳୁ ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଯାଇ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଉଛି ।
ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତରେ ସମସ୍ୟା ହେଉଥିଲା । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଛି । ଜାହାଜରେ 18 ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଏହି ଜାହାଜରୁ ମିଳିଥିବା କୋକେନ୍ ର ମୂଲ୍ୟ ପ୍ରାୟ 220 କୋଟି ଟଙ୍କା ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏମଭି-ଦେବୀ ପାନାମା ନାମକ ଜାହାଜରୁ 22 କୋକେନ ପ୍ୟାକେଟ୍ ଜବତ କରିଥିଲା କଷ୍ଟମସ ବିଭାଗ । ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଗତ 22 ତାରିଖରେ ପାରାଦୀପରେ ପହଞ୍ଚିଥିଲା ଜାହାଜ । ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଯାଇଥାନ୍ତା ଡେନମାର୍କ । ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା ।
ଏହାପରେ ଦିଲ୍ଲୀରୁ ଏନସିବି ଅର୍ଥାତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଦୁଇଜଣ ସଦସ୍ୟ ଆସି ପାରାଦ୍ବୀପରେ ପହଞ୍ଚି ଅଧିକ ତଦନ୍ତ କରିବାକୁ ଅଗ୍ରସର ହେବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ଉପୁଜାଇଥିଲା । ଜବତ କୋକେନକୁ ନେଇ କଷ୍ଟମ ବିଭାଗ କୁଜଙ୍ଗ କୋର୍ଟ ରେ ଦାଖଲ କରିବା ସହ କୋର୍ଟର ଅନୁମତି ପରେ ସାମ୍ପଲ ଟେଷ୍ଟ କରାଇବା ପାଇଁ ପଠାଇଥିବା ଓ ସମସ୍ତ କୋକେନକୁ ନେଇ ମାଲଖାନାରେ ରଖିଥିବା ବେଳେ ଗତକାଲି ସଂଧ୍ୟାରେ ଦୁଇଜଣ ଅନୁବାଦକ ଆସି ପାରାଦୀପ ରେ ପହଞ୍ଚିଛନ୍ତି ।












Click it and Unblock the Notifications