ଆଜି ଠାରୁ ଜନତା ମୈଦାନରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜନତା ମୈଦାନରେ ଆସନ୍ତା ନଭେମ୍ବର 9 ଓ 10 ତାରିଖ ଦୁ ଦିନ ଧରି ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ।
ମିଲେଟ୍ କୁ ସାରା ବିଶ୍ୱ ତଥା ଦେଶରେ ଲୋକପ୍ରିୟ କରିବା ପାଇଁ ପ୍ରୟାସ କରୁଛି ମିଲେଟ୍ ମିଶନ । ମିଲେଟ୍ ମିଶନକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ଆୟୋଜନ କରୁଛି ।

ସମ୍ମିଳନୀର ବିଷୟବସ୍ତୁ ରହିଛି ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ ମିଲେଟସ୍ । ଏ ନେଇ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜନ ହେଉଛି ବିରାଟ କାର୍ଯ୍ୟକ୍ରମ । ପୂରାଦେଶ ପାଇଁ ସମ୍ମିଳନୀରେ ମିଲେଟ୍ ପଲିସି ରୋଡମ୍ୟାପ୍ ପ୍ରସ୍ତୁତ ହେବ । ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ସହ ଘରେ ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ରାଉଣ୍ଡ ଟେବୁଲ ବୈଠକ, ବିଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ୍ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ ।
ଜାତିସଂଘର ବିଭିନ୍ନ ସଂସ୍ଥା, କୃଷି ସଂଗଠନ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ । ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ ।
ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 10 ନଭେମ୍ବର 2022 କୁ ମାଣ୍ଡିଆ ଦିବସ (ମିଲେଟ୍ ଦିବସ) ଭାବେ ଘୋଷଣା କରିବା ସହ 'ଓଡିଶା ମିଲେଟ୍ ମିଶନ'ର କାର୍ଯ୍ୟପନ୍ଥା ଅନୁସାରେ ଚଳିତ ବର୍ଷ 10 ନଭେମ୍ବର 2023 ରେ ଅନ୍ତର୍ଜାତିକ ମିଲେଟ୍ ବର୍ଷ ସମ୍ମିଳନୀ ଆୟୋଜନ ନିମନ୍ତେ ଏହାର କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଥିଲେ ।
ମିଲେଟର ବହୁଳ ବ୍ୟବହାର, ମିଲେଟ୍ ଚାଷର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ସହଭାଗୀ ସଂସ୍ଥାର ସହଯୋଗରେ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟ ସଶ୍ୟର ଘରୋଇ ବ୍ୟବହାର ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଗବେଷଣା, ଚାଷ ଅଭ୍ୟାସ, ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରତି ଧ୍ୟାନ ଦେବା ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଛି ।












Click it and Unblock the Notifications