ଟ୍ରେନ୍ ଦୁର୍ଘଟଣା: ଝାରସୁଗୁଡ଼ା - ସମ୍ବଲପୁର ମେମୁ ଲାଇନଚ୍ୟୁତ
ସମ୍ବଲପୁର: ଆଉ ଏକ ଟ୍ରେନ୍ ଦୁର୍ଘଟଣା । ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।
ସମ୍ବଲପୁର ସରଲା ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଗୋରୁ ସାମ୍ନାକୁ ଚାଲି ଆସିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା । ଫଳରେ ସମ୍ବଲପୁର-ଝାରସୁଗୁଡ଼ା ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ 09169 ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ୍ ଆସୁଥିଲା । ଆଉ କିଛି ସମୟ ପରେ ଟ୍ରେନ୍ଟି ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାନ୍ତା । ସନ୍ଧ୍ୟା 6.25 ମିନିଟରେ ସମ୍ବଲପୁର ସିଟି ଷ୍ଟେସନ ପୂର୍ବରୁ ସରଲା ଷ୍ଟେସନ ନିକଟରେ ରେଳଲାଇନ୍ ଉପରକୁ ଗାଈଟିଏ ଆସିଯାଇଥିଲା । ଫଳରେ ମେମୁ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନ୍ର 4 ନମ୍ବର ବଗିର ଲାଇନ୍ଚ୍ୟୁତ ହୋଇଥିଲା ।
ଟ୍ରେନ୍ ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ରେଳ ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
ଦୁର୍ଘଟଣା ଫଳରେ ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆବଶ୍ୟକୀୟ ସାମଗ୍ରୀ ସହ ରେଳଧାରଣା ଓ ବଗି ସଜାଡ଼ିବାକୁ ଆକସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଦୁଇ ଘଣ୍ଟା ସମୟ ମଧ୍ୟରେ ମରାମତି କାର୍ଯ୍ୟ ଶେଷ ହୋଇଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications