100 ଟଙ୍କା ପାର୍ ହେଲା ଟମାଟୋ ଦର, ଗ୍ରାହକ ହଟହଟା
ଭୁବନେଶ୍ୱର : ସାରା ରାଜ୍ୟରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ ବଜାରରେ ଟମାଟୋ କିଲୋପ୍ରତି 100 ଟଙ୍କା ପାର୍ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଟମାଟୋ କିଲୋ 70 ରୁ 80 ଟଙ୍କାରେ ବିକ୍ରି ହେଉଥିବା ବେଳେ ରାଜ୍ୟର ଅନ୍ୟ ସହରରେ ଏହାଠାରୁ ଅଧିକ ରହିଛି ।

ବାଲେଶ୍ୱରରେ ଟମାଟୋ 100 ଟଙ୍କାରେ କିଲେ ଟମାଟୋ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ଶହେ ଟଙ୍କାରେ ବିକ୍ରି ହେଉଛି । ରାଉରକେଲାରେ ଟମାଟୋ କେଜି 90 ଟଙ୍କା, ସମ୍ବଲପୁରରେ ମଧ୍ୟ ଟମାଟୋ କେଜି ପ୍ରତି 80-90 ଟଙ୍କା ମଧ୍ୟରେ ରହିଛି । କୋରାପୁଟରେ ଦର ସାମାନ୍ୟ କମ୍ ରହିଛି । ଏଠାରେ ଟମାଟୋ କେଜି 50 ଟଙ୍କା ରହିଛି ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା 3 ରୁ 5 ଟଙ୍କାରେ ବିକ୍ରି କରୁଥିବା ବେଳେ ହଠାତ୍ ଦର ବୃଦ୍ଧି ହୋଇଛି । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଏହା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସ ପାଉଛି । ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ମଧ୍ୟ ବର୍ଷାରେ ନଷ୍ଟ ହୋଇଯାଇଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।
କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ଟମାଟୋ କେଜି ପ୍ରତି ଶହେ ଟଙ୍କା ପାର୍ କରିଛି । ଟମାଟୋ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।












Click it and Unblock the Notifications