ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି; ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଠାକୁରଙ୍କ ବନକଲାଗ ନୀତି ପାଇଁ ଶ୍ରୀମନ୍ଦିରରେ ପୂର୍ବ ଦିନରୁ ପ୍ରସ୍ତୁତି ହୋଇଥାଏ । ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କର ମଧ୍ୟ ଏହି ନୀତି ସମ୍ପାଦନରେ ଭୂମିକା ରହିଛି । ତେବେ ଉକ୍ତ ଦିନର ଠାକୁରଙ୍କ ନୀତିକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ।

ବନକଲାଗି ନୀତି କ'ଣ ଜାଣନ୍ତୁ:
ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ। ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା'ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।
କ'ଣ ରହିଛି ବନକଲାଗି ନୀତିର ନିୟମ ? ଚାଲନ୍ତୁ ଜାଣିବା । ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି ।
ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି। ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ପାଳିଆ ଖଣ୍ଟୁଆ, ଗରାବଡୁ, ୩ ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି । ଚାଙ୍ଗଡା ମେକାପ, ୩ ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି। ଧୋପଖଳା ହେବା ପରେ ପାଳିଆ ଖୁଂଟିଆ ୩ ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି । ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି । ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି।
ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ। ପ୍ରାୟ ୨ ଘଣ୍ଟା ଧରି ବନକଲାଗି କରି ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ଦତ୍ତ ସେବକ। ଏହା ପରେ ପାଳିଆ ମେକାପ ରତ୍ନ ସିଂହାସନକୁ ଖାଇଥାନ୍ତି ।












Click it and Unblock the Notifications