ବୁଲୁଛି ବାଘ ! କ୍ୟାମେରାରେ କଏଦ ହେଲା ମହାବଳ
ଗଜପତି: ବନାଞ୍ଚଳରେ ବୁଲୁଛି ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଉପସ୍ଥିତି । ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ଗତ 18 ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ । ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଆଖପାଖ ଅଞ୍ଚଳରେ 5 ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ଆଜି ଗୋଟିଏ କ୍ୟାମେରାରେ ବାଘର ଉପସ୍ଥିତି ରେକର୍ଡ ହୋଇଛି । ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି ।
ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ ।
ଗାଈକୁ ମାରି ଖାଇବା ପରେ ବାଘକୁ ଠାବ କରିବା ପାଇଁ ଟ୍ରାପ କ୍ୟାମେରା ଲଗେଇଥିଲେ ବନକର୍ମଚାରୀ । ବାଘର ପାଦଚିହ୍ନ ଠାବ ହେବା ପରେ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନାଇଟ୍ ଭିଜନ୍ କ୍ୟାମେରା ଖଞ୍ଜା ଯାଇଥିଲା । ଗତକାଲି ରାତିରେ ଜଙ୍ଗଲକୁ ବାଘ ଆସିଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଫଟୋ । ଅନ୍ୟ ଜଙ୍ଗଲରୁ ବାଘ ଏଠାକୁ ପଳାଇ ଆସିଥିବା ବନବିଭାଗ କହିଛନ୍ତି ।












Click it and Unblock the Notifications