ଚାଷୀ ଭାଇ ଭଉଣୀଙ୍କ ନିଷ୍ଠା ଓ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଏକ ଆନ୍ଦୋଳନରେ ପରିଣତ ହୋଇଛି - ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ ।
ଜଳ ଅମୂଲ୍ୟ । ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପାଣି ଉପରେ ଓ ଚାଷ ଉପରେ ପଡ଼ିବ । ତେଣୁ ଜଳ ନଷ୍ଟ ନ କରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଥିଲେ ଯେ Conserve, Reuse ଓ Recycle ଆମର ଲକ୍ଷ୍ୟ ହେବା ଦରକାର ।
ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଧେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ କୋଭିଡ ପରବର୍ତ୍ତୀ ସମୟରେ ଏହି ପାଣି ପଞ୍ଚାୟତ ପକ୍ଷ ୧୧୭ ଟି ଜଳସେଚନ ବିଭାଜନରେ ଏବଂ ୩୦ ଟି ଜିଲ୍ଲାରେ ସହଭାଗୀ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ନେଇ ଏହା ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ରାଜ୍ୟରେ ପାଣି ପଞ୍ଚାୟତର ପ୍ରଗତି ଯାତ୍ରାରେ ସେଚ ସହଭାଗିତା, ସେଚ ସହଭାଗିତା ପ୍ରଶିକ୍ଷଣ ସମ୍ବନ୍ଧୀୟ ପୁସ୍ତିକା "ସିଞ୍ଚିତା", e-CAD ଅଧୀନରେ Infra ଏବଂ MIS Module ପରି application କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି ମୋଡ୍ୟୁଲ ପ୍ରକଳ୍ପଗୁଡିକର ବାସ୍ତବ ଓ ଆର୍ଥିକ ପ୍ରଗତିର ସଠିକ ସମୟରେ ପର୍ଯ୍ୟାଲୋଚନା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।
ଆଜିର ଏହି ସମାରୋହରେ ବିଭିନ୍ନ ପ୍ରକଳ୍ପର ୪୦ ଗୋଟି ଶ୍ରେଷ୍ଠ ପାଣି ପଞ୍ଚାୟତ (ବୃହତ, ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ), ୩୦ ଜଣ ପ୍ରଗତିଶୀଳ କୃଷକ, Essay/ Debate/ Quiz/Painting ପ୍ରତିଯୋଗିତାର ୧୨ ଜଣ ବିଜେତା ତଥା ୧୨ ଟି ଶ୍ରେଷ୍ଠ ପ୍ରକଳ୍ପ ଏବଂ ୧୫ ଜଣ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।












Click it and Unblock the Notifications