ରାଜ୍ୟରେ ଫେରିବ ଶୀତ, 2 ରୁ 3 ଡିଗ୍ରୀ କମିବ ତାପମାତ୍ରା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦୁର୍ବଳ ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 3.1 କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗିରହିଥିଲା ।

କୋହଲା ପାଗ ପ୍ରଭାବରେ ରାଜ୍ୟର ତାପମାତ୍ରା କମିଛି । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା 5 ଡିଗ୍ରୀ ହ୍ରାସ ପାଇଛି । ଆଗାମୀ 5ଦିନ ଯାଏଁ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଶୀତ ବଢିବ ।
2-3 ଦିନ ମଧ୍ୟରେ ଶୀତ ଆହୁରି ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ ପ୍ରଭାବ କମିବା ପରେ ଶୀତ ବଢିବ । ସ୍ୱାଭାବିକ ଠାରୁ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । 9 ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ ।
ସେପଟେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।












Click it and Unblock the Notifications