ପଞ୍ଚଭୂତରେ ଲୀନ ହେଲେ ସ୍ୱରୂପ ନାୟକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ସ୍ୱରୂପ ନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି । ଏକ ଶୋଭାଯାତ୍ରାରେ ସତୀଚଉରାକୁ ଅଣାଯାଇଥିଲା । ସତୀଚଉରାରେ କଟକ ମେୟର ସୁବାସ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଗତକାଲି (ଶୁକ୍ରବାର) ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଗତ କିଛି ଦିନ ତଳେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଥ୍ରୋଟ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା ।
ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା । 1947 ମସିହା ଫେବୃଆରୀ 8 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୂପ । ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ ।
ସ୍ୱରୂପ ଅନେକ ଚଳଚ୍ଚିତ୍ରରେ, ମୋଟ୍ 41 ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ 30 ଟି କଥାଚିତ୍ରରେ ଗୀତ ରଚନା କରିଥିଲେ । 6 ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ 6 ଟି କଥାଚିତ୍ରରେ ଅଭିନୟ କରିଛନ୍ତି । 1962 ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ ।
1984 ମସିହାର ହୀରାନୀଳା କଥାଚିତ୍ରରୁ ସଙ୍ଗୀତକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଓଡ଼ିଆ ଆଧୁନିକ ସଙ୍ଗୀତର ଜଗତର ସ୍ରଷ୍ଟା ଭାବେ ବେଶ ପରିଚିତ ସ୍ୱରୂପ ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଆଦି ସମେେତ ବେଶ୍ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ ।
ହେଲେ ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଛନ୍ତି । ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ହେଲା ' ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ 'ହୀରାନୀଳା' । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆ ପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ' ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ' କୋଳ ତୋ' ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍ନା ହାତ୍ ଜଗନ୍ନାଥ ଆଦି । ସେ ଷାଠିଏରୁ ଅଧିକ ଓଡ଼ିଆ ଛବିରେ ମଧ୍ୟ ଗୀତର ରଚନା କରିଛନ୍ତି ।












Click it and Unblock the Notifications