ହାତୀ ବନ୍ଦ କରିଦେଲା ପାଠପଢା, ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ
ସାଧାରଣତଃ ବର୍ଷା ପାଣି ହେଉ ଅବା ଦୁର୍ଗମ ଅଞ୍ଚଳକୁ ରାସ୍ତା ନଥିବା କାରଣରୁ ପିଲାଙ୍କ ପାଠପଢାରେ ବାଧା ହେଉଥିବା କଥା ଆପଣ ଶୁଣିଥିବେ । ହେଲେ ଏଠି ହାତୀ ପାଇଁ ପାଠ ପଢା ବନ୍ଦ ହୋଇଯାଇଛି । ହାତୀ ଭୟରେ ପିଲାଙ୍କୁ ସ୍କୁଲ୍ ଛାଡ଼ୁନାହାଁନ୍ତି ଅଭିବାବକ ।

ଏମିତି ଏକ ଅଭାବନୀୟ ଘଟଣାର ଖବର ଆସିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଖଇରଟାର ଗାଁ ରୁ । ବର୍ଷ ତମାମ ହାତୀ ସମସ୍ୟା ଲାଗି ରହିଥିବାରୁ ଭୟରେ ସ୍କୁଲ୍ ଯାଉନାହାଁନ୍ତି ଛାତ୍ରଛାତ୍ରୀ । ଜୁନ୍ 21 ରେ ବୁଢିଖମା ଗାଁର ହାତୀ ଆକ୍ରମଣରେ ଜଣଙ୍କ ଜୀବନହାନି ହେବା ପରଠାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଖଇରଟାପ ଗାଁର 17 ଜଣ ପିଲା ଯାଇପାରୁନାହାଁନ୍ତି ସ୍କୁଲ୍ ।
ଶେଷରେ ଉପାୟଶୂନ୍ୟ ହୋଇ ପ୍ରଶାସନ ଉପରେ ଭରଷା କରିଛନ୍ତି । ଦୂରରେ ଥିବା ସ୍କୁଲକୁ ଯିବାବେଳେ ହାତୀ ଆକ୍ରମଣ କରିବା ଭୟରେ ପିଲାଙ୍କ ପାଠ ପଢା ବନ୍ଦ ହେଲାଣି । ତେଣୁ ତୁରନ୍ତ ଗାଁ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ସୂଚନାଥାଉକି, ଖଇରଟାପ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କମ ହେବାରୁ 2021 ମସିହାରେ ତିନି କିଲୋମିଟର ଦୂରରେ ବୁଡିଖମାର ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହେଲା । ସ୍କୁଲ ଦୂରରେ ଥିବାରୁ ଏବେ ହାତୀ ଭୟରେ ପିଲା ଯାଉନାହାନ୍ତି ସ୍କୁଲ । ହାତୀ ପାଇଁ ପାଠ ବନ୍ଦ ହେଉଥିବାରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ । ଏହାକୁ ଗମ୍ଭୀର ସମସ୍ୟା କହିବା ସହ ସରକାରଙ୍କୁ ଖୁବଶୀଘ୍ର ଏନେଇ ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।












Click it and Unblock the Notifications