ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହ ପାଳିତ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ପାପଡ଼ାହାଣ୍ଡିର ଟୁରୀ ନଦୀ କୂଳରେ ଆମନୁଷିକ ପୋଲିସ୍ ଗୁଳିକାଣ୍ଡ ଘଟଣା ସେତେବେଳେ ସାରା ଓଡ଼ିଶା ଏବଂ ଭାରତର ଜନତାଙ୍କ ହୃଦୟକୁ ଚହଲାଇ ଦେଇଥିଲା । ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ କରିବା ପାଇଁ ଏହି ଘଟଣା କାର୍ଯ୍ୟ କରିଥିଲା ବୋଲି ରକ୍ତତୀର୍ଥ ପାପଡାହାଣ୍ଡିର ସହିଦମାନଙ୍କ ସ୍ମୃତିରେ ପାଳିତ ହେଉଥିବା ଆତ୍ମୋତ୍ସର୍ଗ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ରାଜ୍ୟସବା ସାଂସଦ ମୁନ୍ନା ଖାଁ ଯୋଗ ଦେଇ କହିଥିଲେ ଯେ, ବ୍ରିଟିଶ୍ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ ସରଳ ନିରୀହ ଆଦିବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ନିଜର ଅସନ୍ତୋଷକୁ ପ୍ରକାଶ କରିବାକୁ ଏକାଠି ହୋଇଥିବାବେଳେ ପୋଲିସ୍ ର ଆଖିବୁଜା ଗୁଳିମାଡ଼ ଶିକାର ହୋଇଥିଲେ । ବ୍ରିଟିଶ୍ ଶାସନର ବର୍ବରତାର ମୂକସାକ୍ଷୀ ପାଲଟିଥିଲା, ପାପଡ଼ାହାଣ୍ଡିର ଟୁରି ନଦୀ ।
ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଜୟଦେବ ବିଧାୟକ ଅରବିନ୍ଦ ଢାଲି କହିଥିଲେ, ଜନ୍ମଭୂମି ଭାରତବର୍ଷକୁ ପରାଧୀନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଜୀବନ ଉତ୍ସର୍ଗ କରିଥିଲେ । ଶହୀଦଙ୍କ ରକ୍ତରେ ସେଦିନ ରଞ୍ଜିତ ହୋଇଥିଲା ଟୁରି ନଦୀ । ଏହି ଘଟଣା ଘଟିବାର ବହୁଦିନ ବିତି ଯାଇଥିଲେ ମଧ୍ୟ ଜନସାଧାରଣ ସେହି ପୁଣ୍ୟାତ୍ମା ଶହୀଦମାନଙ୍କ ଆତ୍ମୋତ୍ସର୍ଗକୁ ସ୍ମରଣ କରୁଛନ୍ତି ।
ମୁଖ୍ୟବକ୍ତା ବିଶିଷ୍ଟ ଐତିସାହିକ ତଥା ଶିକ୍ଷାବିତ୍ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମାତୃଭୂମିର ଏହି ମହାନ୍ ଦେଶପ୍ରେମୀମାନଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ବାବରେ ଆଲୋକପାତ କରିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦମାନଙ୍କ ସ୍ମୃତିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।












Click it and Unblock the Notifications