ସ୍ୱଚ୍ଛ ଶକ୍ତି ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
ରାଜ୍ୟରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ରହିଛି ଏବଂ ସ୍ୱଚ୍ଛ ତଥା ସବୁଜ ଶକ୍ତି ବ୍ୟବହାର ଆଜିର ସମୟର ଆହ୍ୱାନ ଥିବାରୁ ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର : ରାଜ୍ୟରେ ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ତଥା ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତ ପାଇଁ ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।
ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛ ଶକ୍ତି ବ୍ୟବହାର ସଂପର୍କିତ ଯୋଜନା ପ୍ରସ୍ତୁତ ନେଇ ତଥ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟୁତ, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ପରିବର୍ତ୍ତେ ସୌର, ପବନ,ଜଳ ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ଉତ୍ପନ୍ନ ଶକ୍ତିକୁ ବ୍ୟବହାର କରିବା ଉପରେ ଆଲୋକପାତ କରିଥିଲେ । ଏହା ଦ୍ୱାରା ରାଜ୍ୟରେ ଶକ୍ତି ସଂରକ୍ଷଣ ଲକ୍ଷ୍ୟ ହାସଲ ହୋଇ ପାରିବ ଏବଂ କୃଷି, ମତ୍ସ୍ୟ, ପରିବହନ, ଶିଳ୍ପ, ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ଭଳି ଆଦି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ବ୍ୟବହାର ହୋଇପାରିବ ।
ରାଜ୍ୟରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ରହିଛି ଏବଂ ସ୍ୱଚ୍ଛ ତଥା ସବୁଜ ଶକ୍ତି ବ୍ୟବହାର ଆଜିର ସମୟର ଆହ୍ୱାନ ଥିବାରୁ ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କିତ ଯୋଜନା ଆସନ୍ତା ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଶକ୍ତି ସଂଚାଳନ ଏବଂ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ଜର୍ମାନୀ ସ୍ଥିତ ଜି.ଆଇ.ଜେଡ ସଂସ୍ଥା ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଉକ୍ତ ସଂସ୍ଥା ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରିବ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ପାତ ଏବଂ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications