‘ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ' : ବାଚସ୍ପତି ଶ୍ରୀ ଆରୁଖ
ଯେତେବେଳେ ସାରା ଭାରତ ବର୍ଷରେ ବ୍ରିଟିଶ ଅତ୍ୟାଚାରରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଥିଲେ, ସେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତ ବର୍ଷର ଯେଉଁ କେତେଜଣ ସଂଗ୍ରାମୀ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଘୁମୁସରର ଚକରା ବିଷୋୟୀ ଥିଲେ ଅନ୍ୟତମ ।
ଭୁବନେଶ୍ୱର: ଯେତେବେଳେ ସାରା ଭାରତ ବର୍ଷରେ ବ୍ରିଟିଶ ଅତ୍ୟାଚାରରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଥିଲେ, ସେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତ ବର୍ଷର ଯେଉଁ କେତେଜଣ ସଂଗ୍ରାମୀ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଘୁମୁସରର ଚକରା ବିଷୋୟୀ ଥିଲେ ଅନ୍ୟତମ । ସେ ପରାକ୍ରମଶାଳୀ ବ୍ରିଟିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇ ଦୀର୍ଘ ୧୫ ବର୍ଷ ଧରି ବ୍ରିଟିଶ ଶାସକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଡାକରାର ୧୦୦ ବର୍ଷ ପୂର୍ବରୁ ବ୍ରିଟିଶ୍ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଦୁଃସାହସିକ ଓ ନିର୍ଭୀକ ଥିଲା । ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ଆରୁଖ ଏହା କହିଛନ୍ତି ।
ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ଶ୍ରୀ ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ ବର୍ତ୍ତମାନ ତଥା ଭବିଷ୍ୟତ ପିଢି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।
ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ଆଲୋଚନା କରିଥିଲେ । ଡଃ. ଦାସ କହିଲେ ଯେ, ଘୁମୁସର ହେଉଛି ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦିପୀଠ । ଚକରା ବିଷୋୟୀ ଥିଲେ ଘୁମୁସର ମାଟିର ବ୍ରିଟିଶ ବିରୋଧୀ ବଳିଷ୍ଠ ସଂଗଠକ । ନିର୍ଭିକ ବୀରତ୍ୱ, ଅସୀମ ଧୈର୍ଯ୍ୟର ପ୍ରତୀକ ଥିଲେ ଚକରା ବିଷୋୟୀ । ତତ୍କାଳୀନ ଘୁମୁସରର ଐତିହାସିକ ଓ ଭୌଗୋଳିକ ପୃଷ୍ଠଭୂମି ସଂପର୍କରେ ସେ ଆଲୋକପାତ କରିବା ସହ ଚକରାଙ୍କ ପ୍ରଭାବଶାଳୀ ସାମରିକ ସଂଗଠନ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କଳାକାର ସଂସ୍ଥାର କାର୍ଯ୍ୟକର୍ତ୍ତା ତଥା ଖ୍ୟାତିସଂପନ୍ନ ଅନୁବାଦକ ଡଃ. ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଢେଙ୍କାନାଳର ଅଲଟରନେଟିଭ୍ ରିଦମ୍ ଥିଏଟରର ଶିଳ୍ପୀମାନଙ୍କ ଦ୍ୱାରା ଚକରାବିଷୋୟୀଙ୍କ ଜୀବନୀ ଆଧାରିତ " ମୁଁ ଚକରା କହୁଛି" ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଦ୍ଦେଶକ ଶ୍ରୀ ଦୀନେଶ ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।












Click it and Unblock the Notifications