ଶ୍ରୀମନ୍ଦିର ସିଂହଦ୍ୱାର ହେବ ରୂପା ଛାଉଣୀ, 24 ଘଣ୍ଟିଆ ପ୍ରହରା ଦେବେ ପୋଲିସ୍

ପୁରୀ: ରଥଯାତ୍ରା ସମୟରେ ରୂପା ଛାଉଣୀରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ରଥଯାତ୍ରା ଅବଧି ମଧ୍ୟରେ ଏହି କାମ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ଦାତାମାନଙ୍କ ରୁପା ଦାନରେ ସିଂହଦ୍ୱାର ରୂପା ଛାଉଣୀ କରାଯିବ । କେତେ ରୂପା ଲାଗିବ ଜଣାଇଲା ପରେ ଦାତାମାନେ ସେହି ପରିମାଣର ରୂପା ଯୋଗାଇ ଦେବେ । ସେ ସମୟରେ ଉତ୍ତର ଦାର ଦେଇ ପ୍ରବେଶ ବ୍ୟବସ୍ଥା ହେବ ।
ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର ନିର୍ମାଣ କରାଯିବ । 24 ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ ।
ଡିଜାଇନ୍ କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସ ଓ ଛାଉଣୀ ବା ସ୍ଥାପନ କାର୍ଯ୍ୟ ସିଂହଦ୍ଵାର ଠାରେ କରାଯିବ । ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ ସମୟରେ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ସେହି ବାଟ ଦେଇ ଛଡାଯିବ ନାହିଁ । ସେହି ସମୟରେ ଭକ୍ତମାନେ ଉତ୍ତର କିମ୍ବା ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ।
ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ । ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ । ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ । ରତ୍ନ ପଲଙ୍କ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ । ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ ।












Click it and Unblock the Notifications