ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ 5 ଥାକିଆ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ଠୁ ଆରମ୍ଭ ହେଉଛି ପ୍ରସ୍ତୁତି ପର୍ବ । ଏ ନେଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 5 ଥାକିଆ ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । 44 ପ୍ଲାଟୁନ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୃତୟନ ହେବେ । ଆଜି ଠାରୁ 17 ତାରିଖ ପର୍ଯ୍ୟନ୍ତ ପୁଲିସ ମୃତୟନ ରହିବେ । ଏହା ସହ କେବଳ 17 ତାରିଖ ଦିନ ପାଇଁ ଅଧିକ 20 ପ୍ଲାଟୁନ ପୁଲିସ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବ ।
ଏହା ବାଦ୍ ସିସିଟିଭି ନଜରରେ ରହିବ ପୁରା ସହର । ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମଧ୍ୟ ପୁଲିସ ବ୍ୟବସ୍ଥା ରହିବ । ଯଜ୍ଞସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।
ଜାନୁଆରୀ 17 ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ୟ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

13 ତାରିଖ ଦିନ 11 ଟାରୁ ରାତି 8ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । 14 ତାରିଖ ଦିନ 10 ଟାରୁ ରାତି 8ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । 15 ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ 3ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ ।
16 ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । 17 ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ 1 .15 ରୁ 1.30 ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ 1.30 ରୁ 2ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ 2 ରୁ 2.30 ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ 2.30 ରୁ 3ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ 3ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications