ଶ୍ରୀକ୍ଷେତ୍ର ଅଧ୍ୟାୟରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଲୋକାର୍ପଣ ହେବ ପରିକ୍ରମା ପ୍ରକଳ୍ପ
ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ହେବ । ଏହା ସହ ଓଡ଼ିଶା ଐତିହ୍ୟ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ଆଜି ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ଗଜପତି ମହାରାଜ ପୂର୍ଣ୍ଣାହୁତି ଦେବେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବରେଣ୍ୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଛି । ଦିନ ପ୍ରାୟ 1.15 ରୁ 1.30 ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିନ 12 ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିବେ । ଅପରାହ୍ନ 1 ଟାରୁ 2ଟା ମଧ୍ୟରେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି । ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥି ମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏହି ଭବ୍ୟ ଉତ୍ସବ ପାଇଁ ସଜେଇ ହୋଇଛି ପୁରୀ ସହର । ଶ୍ରୀସେତୁ ରାସ୍ତା ମଝି ଓ ପାର୍ଶ୍ବରେ ସୃଷ୍ଟି ହୋଇଛି ସବୁଜ ବଳୟ । ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣରେ ଭରି ଦିଆଯାଇଛି ଏହି ନବନିର୍ମିତ ସେତୁ । ତୂରୀ ଆକୃତିର ଏହି ସେତୁ ଶ୍ରୀକ୍ଷେତ୍ରର ଟ୍ରାଫିକ୍ ସମସ୍ୟା ଦୂର କରିବ । ସେପଟେ ବଡ଼ଦାଣ୍ଡର ଚାପ କମାଇବା ପାଇଁ ପ୍ରସ୍ତୁତ ହୋଇସାରିଛି 'ଶ୍ରୀଦାଣ୍ଡ'। ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଦୋଳବେଦି କୋଣକୁ ସଂଯୋଗ କରୁଥିବା ଏହି ନୂଆ ଚଉଡ଼ା ରାସ୍ତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପେଭର୍ ବ୍ଲକ୍ ବିଛାଯାଇଛି । ରାସ୍ତାର ଦୁଇପାର୍ଶ୍ବ ବଡ଼ଦାଣ୍ଡ ଭଳି ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ ହୋଇଛି । ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତାର ଦୁଇପାର୍ଶ୍ବରେ ନାନାଦି ଗଛ ରଖାଯାଇଛି । ଏହା ସାଙ୍ଗକୁ ରାସ୍ତାର ଦୁଇପାର୍ଶ୍ବରେ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି ଏହି ରାସ୍ତାର ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି । ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତାରେ ଭରି ଦିଆଯାଇଛି 'ଶ୍ରୀଦାଣ୍ଡ' ।












Click it and Unblock the Notifications