ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜି ଠୁ ହେବ ପ୍ରତିଷ୍ଠା ଉତ୍ସବର ଅୟମାରମ୍ଭ
ପୁରୀ: ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବର ଅୟମାରମ୍ଭ ଆଜି ଠାରୁ ହେବ । ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ଉତ୍ସବ ମୁଖର ହୋଇ ଉଠିବ ଶ୍ରୀ ମନ୍ଦିର । ଭକ୍ତଙ୍କ ସମାଗମରେ ଉଛୁଳିବ ବଡ଼ଦାଣ୍ଡ । ଆଜି ଠାରୁ 6 ଦିନ ପର୍ଯ୍ୟନ୍ତ ହେବ ଯଜ୍ଞ ।
ଏହା ପରେ ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏ ନେଇ ଆଜି ଠାରୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା । 6 ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ । ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ ।

ସନ୍ଧ୍ୟା ସାଢ଼େ ଛ ରୁ 8 ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । 13 ତାରିଖ ଦିନ 11 ଟାରୁ ରାତି 8ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । 14 ତାରିଖ ଦିନ 10 ଟାରୁ ରାତି 8ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । 15 ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ 3ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ ।
16 ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । 17 ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ 1 .15 ରୁ 1.30 ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ 1.30 ରୁ 2ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ 2 ରୁ 2.30 ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ 2.30 ରୁ 3ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ 3ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications