ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଆଜି ବସିବ ପରିଚାଳନା କମିଟି ବୈଠକ
ପୁରୀ: ଆସନ୍ତା 17 ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ନେଇ ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଥିରେ ଭାଗ ନେବେ । ତେବେ କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସଙ୍ଗ ଉପରେ ହିଁ ବୈଠକରେ ଆଲୋଚନା ହେବ । ଶୁକ୍ରବାର ଠାରୁ ମହାଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ 17 ତାରିଖରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରାଯିବ । ଏଥିରେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟଙ୍କ ସମେତ ବହୁ ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେଉଥିବାରୁ ସବୁ କାର୍ଯ୍ୟ କିପରି ସୁରୁଖୁରରେ ଚାଲିବ ତା' ଉପରେ ବିଚାର ବିମର୍ଷ କରାଯିବ ।
ସେହିପରି ସମସ୍ତ ପ୍ରସ୍ତୁତିର ମଧ୍ୟ ସମୀକ୍ଷା ହେବ । ଯେଉଁମାନଙ୍କୁ ଯାହାସବୁ ଦାୟିତ୍ୱ ଦିଆଯାଇଥିଲା ସେମାନେ ତାଙ୍କ କାର୍ଯ୍ୟ ଠିକ୍ ଭାବେ ସମ୍ପନ୍ନ କରିଛନ୍ତି ନା ନାହିଁ ତାହା ଉପରେ ବି ଆଲୋଚନା କରାଯିବ। ଯଜ୍ଞ କର୍ମ ସାଙ୍ଗକୁ ବେଦପାଠ, ଅତିଥିଙ୍କୁ ଆତିଥୟତା, କେଉଁମାନେ ଆସିବାକୁ ସମ୍ମତି ଦେଇଛନ୍ତି, ଅତିଥିଙ୍କ ରହଣି, ଜଗନ୍ନାଥ ବଲ୍ଲଭ ପରିସରରେ ହେବାକୁ ଥିବା ପ୍ରଦର୍ଶନୀ ଏ ସବୁ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବ ବୋଲି ଜଣାପଡିଛି ।












Click it and Unblock the Notifications