ପ୍ରଥମ ଦିନରେ ୧୭୬ ପର୍ଯ୍ୟଟକ ଉପଭୋଗ କଲେ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ
ଖୋଲିଛି ଶିମିଳିପାଳ । ଗତକାଲି ପ୍ରଥମ ଦିନରେ ୧୭୬ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ଗୋଲାପ ଫୁଲ ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରତିବର୍ଷ ନଭେମ୍ୱର ୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଜାତୀୟ ଉଦ୍ୟାନ । ହେଲେ ଚଳିତ ବର୍ଷ ୧୫ ଦିନ ଆଗରୁ ଖୋଲିଛି ।
ଜିଲ୍ଲାର ୨୭୫୦ ବର୍ଗ କିଲମିଟର ବ୍ୟାପି ରହିଛି ଏହି ଶିମିଳିପାଳ ଜୈବ ମଣ୍ଡଳ । ଶିମିଳିପାଳ ମଧ୍ୟରୁ ବୁଢ଼ାବଳଙ୍ଗ,ଖଇରୀ, ସାଳନ୍ଦୀ,ପଳପଳା ଓ ଦେଓ ନଦୀ ଭଳି୧୩ ଗୋଟି ନଦୀ ବହିଆସୁଥିବା ବେଳେ ଏଠାରେ ୪ କିସମର ଜଙ୍ଗଲ ମଧ୍ୟ ଦେଖିବାପଇଁ ମିଳିଥାଏ । ଏହା ସହ ଶିମିଳିପାଳ ମଧ୍ୟରେ ୧୦୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ ବାସ କରୁଥିବାବେଳେ ୨୯ ପ୍ରଜାତୀର ସରିସୃପ,୨୩୧ ପ୍ରଜାତୀର ପକ୍ଷୀ ଦେଖାଯାଇଥାନ୍ତି । ଜଙ୍ଗଲ ମଧ୍ୟରେ ବହୁ ବଡ ବଡ ମୂଲ୍ୟବାନ ଓ ଓଷଧୀୟ ବୃକ୍ଷ ରହିଥିବାବେଲେ ୯୬ ପ୍ରଜାତୀର ଅରକିଡ୍ ଗବେଷକ ମାନେ ଏଠାରେ ଆବିସ୍କାର କରିଛନ୍ତି ।

ଶିମିଳିପାଳ ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣୀତ କରିଥାଏ ଏଠାରେ ଥିବା ବରେହିପାଣି,ଜରନ୍ଦା, ଉସ୍କି,ଦେବକୁଣ୍ଡ ଓ ସୀତାକୁଣ୍ଡ ଭଳି ମନଲୋଭା ଜଳପ୍ରପାତ ଏବଂ କିରିବୁରୁ ଓ ମେଘାସନି ଭଳି ଦୁଇ ବୃହତ ପର୍ବତ ଶୃଙ୍ଗ । ତେଣୁ ପର୍ଯ୍ୟଟନ ରୁତୁ ଆସିଲେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାପାଇଁ ଯେମିତି ଏଠାରେ ନିଜକୁ ନୁଆ ଢ଼ଙ୍ଗରେ ସଜେଇଦେଇଥାଏ ପ୍ରକୃତି ରାଣୀ । ତେଣୁ ପ୍ରକୃତୀକୁ ଭଲପାଉଥିବା ଓ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବା ସହ ବନ୍ୟପ୍ରାଣୀଙ୍କର ନିଆରା ମଜା ନେବାପାଇଁ ଦେଶ ବିଦେଶରୁ ଛୁଟିଆସନ୍ତି ଅନେକ ପର୍ଯ୍ୟଟକ ।












Click it and Unblock the Notifications