ଆଉ ଏକ ଜୀବନ ନେଲା ସ୍କ୍ରବ୍ ଟାଇଫସ୍, ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଆତଙ୍କ ରଚିଛି ସ୍କ୍ରବ୍ ଟାଇଫସ୍ ରୋଗ । ଏହି ରୋଗରେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ 6 ଜଣଙ୍କର ଜୀବନ ହାନି ହେଲାଣି । ଏହା ସହ ସାରା ରାଜ୍ୟରେ ଏହାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ହେବାରେ ଲାଗିଛି ।
ସୁନ୍ଦରଗଡ଼ରେ ଆଜି ପୁଣି 11 ଜଣ ସଂକ୍ରମିତ ଚିହ୍ନଟ ହୋଇଛି। ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 180 ରେ ପହଞ୍ଚିଛି । 54 ଟି ନମୁନାରୁ 11 ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ଏହା ଚିନ୍ତାରେ ପକାଇଛି ।

ସେପଟେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର)ର ତିନି ଜଣିଆ ଡାକ୍ତରୀ ଦଳ ବରଗଡ଼ ଯାଇ ତଦନ୍ତ କରିଛନ୍ତି । ଏହି ଟିମରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ, ଆସିଷ୍ଟାଣ୍ଟ ପ୍ରଫେସର ତଥା ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ସତ୍ୟବ୍ରତ ଠାକୁର ଓ କମ୍ୟୁନିଟି ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଉଦୟ କୁମାର ନାୟକ ରହିଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା କହିଛନ୍ତି, ଏଲିସା ଟେକନିକରେ ଆଣ୍ଟିବଡି ଟେଷ୍ଟ ପାଇଁ ବରଗଡ଼ ସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଛି । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହେଉଛନ୍ତି । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ । କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡ଼ିଯାଏ। ପରେ ପରେ ରୋଗୀ ଜ୍ବରରେ ପଡ଼େ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ ସମୟରେ ପରୀକ୍ଷା କରି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି କହିଛନ୍ତି ଡାକ୍ତର ।












Click it and Unblock the Notifications