ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍ କୀଟ, ରାଜ୍ୟର ନେଲାଣି 5 ଜୀବନ
ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଆତଙ୍କ ରଚିଛି ସ୍କ୍ରବ୍ ଟାଇଫସ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହା ଦ୍ୱାରା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ 5 ଜଣଙ୍କର ପ୍ରାଣହାନି ହୋଇଛି ।

କେବଳ ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏଁ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର 2 ଜଣଙ୍କର ମୃତ୍ୟୁ ହୋଇଛି । । ଏହି ସ୍କ୍ରବ୍ ଟାଇଫସ୍ କୀଟ କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗଡ଼ରେ ବି ଆତଙ୍କ ଖେଳାଇଛି । ରାଜ୍ୟରେ ଏବେ 150 ରୁ ଅଧିକ ଆକ୍ରାନ୍ତ ରହିଛନ୍ତି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହି ସ୍କ୍ରବ୍ ଟାଇଫସ୍ ରୋଗ ନୂଆ ନୁହେଁ । 'ଚିଗର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବା କଷ୍ଟକର । ଏହି କୀଟ ପଶୁମାନଙ୍କ ଦେହରେ ବି ରହିଥାଏ । ଏହି କୀଟ କାମୁଡ଼ିଲେ ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଘୋଳାବିନ୍ଧା ଲାଗି ରହିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ଏ ନେଇ ସତର୍କ ରହିବା ଜରୁରୀ । ଚାଷଜମି ଓ ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ସମ୍ଭାବନା ଅଧିକ ହୋଇଥାଏ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡିଥାଏ, ସେଠାରେ ସ୍କିନ୍ ଡେଡ୍ ହୋଇଯାଏ । ଯାହାକୁ ଏଚାର ବୋଲି କୁହାଯାଏ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲରେ ଏଲିଶା ପଦ୍ଧତିରେ ହୋଇଥାଏ । ସ୍କ୍ରବ୍ ଟାଇଫସ ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହାର ଚିକିତ୍ସା ବାବଦରେ ମୁଖ୍ୟତଃ ଆଣ୍ଟି-ବାଓଟିକ୍ ଦିଆଯାଇଥାଏ । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ରହିଥିଲେ ମଧ୍ୟ ଅଧିକ କେସ୍ କେନ୍ଦୁଝରରୁ ଆସୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସ୍କ୍ରବ୍ ଟାଇଫସ୍ ରୋଗ ହେଲେ 5 ରୁ 6 ଦିନ ପର୍ଯ୍ୟନ୍ତ ଜ୍ୱର ରହିଥାଏ । ତେଣୁ ଯାହାର ଜ୍ୱର ନ କମୁଛି, ସେ ସ୍କ୍ରବ୍ ଫାଇଟସ୍ ପରୀକ୍ଷା କରାଇ ନେବା ଜରୁରୀ ବୋଲି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।












Click it and Unblock the Notifications