ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନିଫର୍ମ
ଭୁବନେଶ୍ୱର : ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନଫର୍ମ । ସରକାରୀ ହାଇସ୍କୁଲ୍ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ମାଗଣା ୟୁନିଫର୍ମ । 'ମୁଖ୍ୟମନ୍ତ୍ରୀ ପରିଧାନ' ଯୋଜନାରେ ହାଇସ୍କଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ଚଳିତ ଶିକ୍ଷାବର୍ଷରୁ ମିଳିବ ମାଗଣା ୟୁନିଫର୍ମ ।

ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ନେଇ ଅବଗତ କରାଯାଇଛି । ସ୍କୁଲ୍ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ 600 ଟଙ୍କା ସହାୟତା ରାଶି ମିଳୁଥିଲା ବେଳେ ଏବେ 1000 ଟଙ୍କା ମିଳିବ । 2023-24 ଆର୍ଥିକ ବର୍ଷର ବଜେଟ୍ରେ ଏହି ବ୍ୟବସ୍ଥା ରଖାଯାଇଛି । ଜଣେ ପିଲା ପିଛା 550 ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, 200 ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ ।
ଏହା ବ୍ୟତୀତ 125 ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, 125 ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍ ପ୍ୟାଣ୍ଟପ୍ରତି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାଙ୍କୁ ଏହି ସୁବିଧା ମିଳିବ । ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଯୋଜନା ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେଉଥିବାରୁ ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଯାଇଛି। ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍ସ୍ତରରେ ଏକ କମିଟି ଗଠିତ ହେବ ।
ଏହି କମିଟି ନେତୃତ୍ୱରେ ଏମ୍ଏସ୍ଏମ୍ଇ ବା ସ୍ୱୀକୃତିପ୍ରାପ୍ତ ଏସ୍ଏଚ୍ଜିଙ୍କୁ ପୋଷାକ କ୍ରୟ ବା ବଣ୍ଟନ ଦାୟିତ୍ୱ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ । ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକ ପାଇଁ 2 ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ । ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର-ପଞ୍ଜାବୀ ପୋଷାକ ରହିଛି ।












Click it and Unblock the Notifications