ବିଜେଡ଼ିରେ ସାମିଲ ହେବା ପରେ ସନ୍ତୃପ୍ତଙ୍କୁ ଏହି ଦାୟିତ୍ୱ ଦେଲା ବିଜେଡ଼ି
ଭୁବନେଶ୍ୱର: ବିଜେଡ଼ିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ ମିଶ୍ର । ଏହା ପରେ ସନ୍ତୃପ୍ତ ମିଶ୍ରଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିଜେଡ଼ି । ସନ୍ତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଦେଇଛି ବିଜେଡି ।
ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ଶୀର୍ଷ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଟ ଶିଳ୍ପପତି ସନ୍ତୃପ୍ତ ମିଶ୍ର । ମାନବ ସମ୍ବଳର ଗ୍ଲୋବାଲ ଡାଇରେକ୍ଟର ତଥା ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ତଥା କେମିକାଲ୍ସ ନିର୍ଦ୍ଦେଶକ ଥିବା ଶ୍ରୀ ମିଶ୍ର ଗତବର୍ଷ କମ୍ପାନିରୁ ଅବସର ନେଇଥିଲେ ।
ଏହା ପରେ ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ନବୀନଙ୍କ ଦୂରଦୃଷ୍ଟି ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟର ବିକାଶରେ ଯୋଗଦାନ କରିବାକୁ ଚାହୁଁଥିବା ସେ କହିଛନ୍ତି । ପୁରୀ ଚନ୍ଦନପୁର ନିବାସୀ ଶ୍ରୀ ମିଶ୍ର କହିଛନ୍ତି ଦଳରେ ଯୋଗଦେଇ ଆନନ୍ଦିତ । ଓଡିଶାବାସୀଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ମିଶ୍ର ।

ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା । ଏହା ସହ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ 25 ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳିଛନ୍ତି । ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ନବୀନ । ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି । ବିଜେଡିରେ ଯୋଗ ଦେଇଛି ଓଡ଼ିଶାବାସୀଙ୍କ ପାଇଁ ସେବା କରିବାକୁ ।
ବିଜେଡିରେ ଶ୍ରୀ ମିଶ୍ର ସାମିଲ ହେବା ପରେ ରାଜ୍ୟସଭାକୁ ମନୋନୀତ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହା ପୂର୍ବରୁ ମଧ୍ୟ ସେ ବିଜେଡ଼ିରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି କଲ୍ପନାଜଳ୍ପନା ଲାଗି ରହିଥିଲା । ବର୍ତ୍ତମାନ ସନ୍ତୃପ୍ତ ବିଜେଡ଼ିରେ ସାମିଲ ହେବା ପରେ ଏହି ଚର୍ଚ୍ଚାକୁ ଖୋରାକ୍ ମିଳିଛି ।
କିନ୍ତୁ, ରାଜ୍ୟସଭା ରେସରେ ଥିବା ନେଇ ସନ୍ତୃପ୍ତ କହିଛନ୍ତି, ଏବେ କିଛି ସମୟ ପୂର୍ବରୁ ମୁଁ ଦଳରେ ସାମିଲ ହୋଇଛି । ଯାହା କାମ ଦିଆଯିବ ତାହା କରିବି । 28 ବର୍ଷ ହେବ ଉଦ୍ୟୋଗରେ କାମ କରିଛି । ଉଦ୍ୟୋଗରେ ଯାହା କାମ ଦିଆଯାଏ ତାହାକୁ ଶୃଙ୍ଖଳାର ସହ କରିବାକୁ ପଡିଥାଏ । ଠିକ୍ ସେହିଭଳି ବିଜେଡିରେ ଯେଉଁ କାମ ଦିଆଯିବ ତାହାକୁ ଶୃଙ୍ଖଳାର ସହ କରିବି ।
ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସନ୍ତୃପ୍ତଙ୍କୁ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications