ଆଇଆଇଟିଏଫ୍ରେ ଓଡ଼ିଶା ପାଭିଲିଅନ୍ ପରିଦର୍ଶନ କଲେ ଗ୍ରାମ୍ୟ ଉନ୍ନୟନ ସଚିବ
ସଚିବ ଶ୍ରୀ ସିଂ କହିଛନ୍ତି ଯେ, ଚଳିତ ବର୍ଷର ବିଷୟବସ୍ତୁ ରହିଛି "ଲୋକାଲ୍ ଟୁ ଗ୍ଲୋବାଲ୍ ଓ ଭୋକାଲ୍ ଫର୍ ଲୋକାଲ୍", ଏହାକୁ ଦୃଷ୍ଟିରେ ରଖି ଆମେ ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ଉତ୍ପାଦ ଉପରେ ଗୁରୁତ୍ୱ ଦେଇଛୁ।
ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିଅନ୍ ପରିଦର୍ଶନ କରିଛନ୍ତି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ସଞ୍ଜୟ କୁମାର ସିଂ । ଏହି ଅବସରରେ ସଚିବ ଶ୍ରୀ ସିଂ ଓଡ଼ିଶା ପକ୍ଷରୁ ଥିବା ଓରମାସ୍, ମିଶନ ଶକ୍ତି, ବୟନିକା, ଉତ୍କଳିକା ଷ୍ଟଲ୍ ବୁଲି ଦେଖିବା ସହ ଗ୍ରାହକଙ୍କ ଆଗ୍ରହ ଏବଂ ବିକ୍ରିବଟାର ସମୀକ୍ଷା କରିଛନ୍ତି ।

ଏହି ଅବସରରେ ସଚିବ ଶ୍ରୀ ସିଂ କହିଛନ୍ତି ଯେ, ଚଳିତ ବର୍ଷର ବିଷୟବସ୍ତୁ ରହିଛି "ଲୋକାଲ୍ ଟୁ ଗ୍ଲୋବାଲ୍ ଓ ଭୋକାଲ୍ ଫର୍ ଲୋକାଲ୍", ଏହାକୁ ଦୃଷ୍ଟିରେ ରଖି ଆମେ ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ଉତ୍ପାଦ ଉପରେ ଗୁରୁତ୍ୱ ଦେଇଛୁ।
ମିଲେଟ୍ ନିର୍ମିତ ଖାଦ୍ୟକୁ ଗୁରୁତ୍ୱ
ଶ୍ରୀ ସିଂ ଆହୁରି କହିଛନ୍ତି ଯେ, ୨୦୨୩କୁ "ମିଲେଟ୍ ବର୍ଷ" ଭାବରେ ଆମ ଦେଶରେ ପାଳନ କରାଯିବ । ମିଲେଟ୍ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଏଥିପୂର୍ବରୁ ଅନେକ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ଏପରିକି ଏହି ମେଳାରେ ଓଡ଼ିଶା ପକ୍ଷରୁ ମିଲେଟ୍ ପ୍ରସ୍ତୁତ ସ୍ନାକ୍ସ ଏବଂ ବିସ୍କୁଟ ସମେତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି । ଯାହାକି ମିଲେଟ୍କୁ ଜାତୀୟ ଏବଂ ବିଶ୍ୱସ୍ତରରେ ପହଞ୍ଚାଇବାରେ ସହାୟକ ହେବ ।
ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ
ଏହା ସହିତ ଓଡ଼ିଶାର ହସ୍ତଶିଳ୍ପ ଏବଂ ହସ୍ତତନ୍ତ ନିର୍ମିତ ଶାଢୀକୁ ପ୍ରୋତ୍ସାହନ ଦେବା ନେଇ ଏଠାରେ ଷ୍ଟଲ୍ କରାଯାଇଛି । ଏହା ଗ୍ରାମାଞ୍ଚଳର କାରିଗରମାନଙ୍କୁ ଜୀବିକା ଯୋଗାଇଥାଏ ବୋଲି କହିଛନ୍ତି ଶ୍ରୀ ସିଂ । ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଥିବା ଷ୍ଟଲରେ କେନ୍ଦୁଝରର କାଗଜ କାମ, ପୁରୀର ପଟ୍ଟଚିତ୍ର, ଜଗତସିଂହପୁରର କାଇଁଚ ଘାସ ସାମଗ୍ରୀ ଓ ମୟୂରଭଞ୍ଜ ର ସବାଇ ଘାସ ଆଦି ବିକ୍ରି ହେଉଛି । ଷ୍ଟଲ୍ ଗୁଡିକରେ ଗ୍ରାମୀଣ ମହିଳା କାରିଗରଙ୍କ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ଓ ଡେକୋରେଟିଭ୍ ସାମଗ୍ରୀ ବିକ୍ରି ହେଉଛି । ବଜାର ଠାରୁ କମ୍ ଦରରେ ମିଳୁଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି। ଏହା ସହିତ ଓଡ଼ିଶାର ଉତ୍ପାଦ ପ୍ରତି ଅନ୍ୟ ରାଜ୍ୟର ଗ୍ରାହକ ମଧ୍ୟ ଆକୃଷ୍ଟ ହେଉଛନ୍ତି ।
ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାକୁ ପ୍ରଥମ ଦିନରେ ଓଡ଼ିଶା ପାଭିଲିଅନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓରମାସ ତରଫରୁ ଖୋଲି ଥିବା ସମସ୍ତ ଷ୍ଟଲ୍ ବୁଲି ଦେଖିଥିଲେ। ପ୍ରଗତି ମୈଦାନରେ ଏହି ମେଳା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।












Click it and Unblock the Notifications