ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ମାତ୍ର ଏତିକି ଟଙ୍କାରେ ନେଇ ପାରିବେ ରୋପ ୱେ ର ମଜା
ଭୁବନେଶ୍ୱର: ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଭେଟି । ନନ୍ଦନକାନନରେ ନେଇ ପାରିବେ ରୋପ ୱେ ର ମଜା । ଆଜି ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ ଉଦ୍ଘାଟନ ହୋଇଛି ।
ଆଜି ଅପରାହ୍ନରେ ନନ୍ଦନକାନନ ରୋପ୍ ୱେକୁ ଉଦ୍ଘାଟନ କରିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ଏହା ପରେ ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ରୋପ୍ ୱେର ମଜା ନେଇପାରିବେ । ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପଓ୍ୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । ଟିକେଟର ମୂଲ୍ୟ ରହିଛି 120 ଟଙ୍କା ।

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । ଏହା ସହିତ କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ ।
ଏଥିରେ 12ଟି କ୍ୟାବିନ ଥିବାବେଳେ ଗୋଟେ କ୍ୟାବିନରେ 6ଜଣ ଲେଖାଏ ମୋଟ 72ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ । ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ 2021 ମସିହାରେ ଚୁକ୍ତି ହୋଇଥିଲା । 2010 ରେ ନନ୍ଦନକାନନର ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । 2011 ମସିହାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିଲା ।
ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ପ୍ରାୟ 13 କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ପୂର୍ବରୁ 1994 ମସିହାରେ ଆରମ୍ଭ ହୋଇଥିବା ରୋପୱେ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ସହ 2010-11 ରେ 2ଥର ଦୁର୍ଘଟଣା ହେବାରୁ ବନ୍ଦ ହୋଇଯାଇଥିଲା । ଏବେ ଉନ୍ନତ କାରିଗରି କୌଶଳରେ ତିଆରି କରାଯାଇଛି ଏହି ରୋପୱେ ।












Click it and Unblock the Notifications