Get Updates
Get notified of breaking news, exclusive insights, and must-see stories!

ଗତ ବର୍ଷ ତୁଳନାରେ 5% ବଢିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା, ଏହି ଜିଲ୍ଲାରୁ ସର୍ବାଧିକ

ଭୁୂବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରିପୋର୍ଟ ବିଚଳିତ କରିଦେବା ଭଳି ରହିଛି । ସଡ଼କ ସୁରକ୍ଷ ସପ୍ତାହ, ସଚେତନା ସତ୍ତ୍ୱେ କମୁନି ସଡ଼କ ଦୁର୍ଘଟଣା । ଏପରିକି ଜାତୀୟସ୍ତର ଅପେକ୍ଷା ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଉଦବେଗଜନକ ରହିଛି । ସଡ଼କ ସୁରକ୍ଷା ପରିଷଦ ବୈଠକର ରିପୋର୍ଟ ଏହାର ଖୋଦ୍ ପ୍ରମାଣ ।

Accident

ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପରିଷଦର ବୈଠକରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ବିଶ୍ୱର ସମସ୍ତ ଦେଶ ଅପେକ୍ଷା ସର୍ବାଧିକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଆନ ଦେଶରେ ଘଟୁଛି । ଆମ ଦେଶର ମୋଟରଯାନ ସଂଖ୍ୟା ବିଶ୍ୱରେ ଚଳାଚଳ କରୁଥିବା ଯାନର ଶତକଡା 1 ଭାଗ ହୋଇଥିବା ବେଳେ ଶତକଡା 11 ଭାଗ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଆମ ଦେଶରେ ଘଟୁଛି । ଆମ ଦେଶରେ 2022 ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ 1 ଲକ୍ଷ 40 ହଜାର ଲୋକ ପ୍ରାଣ ହରାଇଛନ୍ତି । ରାସ୍ତା ଦୁର୍ଘଟଣା ସର୍ବେକ୍ଷଣରୁ ଜଣାପଡିଛି ଯେ ଆମ ଦେଶରେ ପ୍ରତିଘଣ୍ଟାରେ ହାରାହାରି 16 ଜଣ ପ୍ରାଣ ହରାଇଥାନ୍ତି ।

ଦେଶ ତୁଳନାରେ ରାଜ୍ୟର ସ୍ଥିତି ଆହୁରି ସଙ୍ଗୀନ ରହିଛି । ଗତ ଦଶନ୍ଧିରେ ଆମ ରାଜ୍ୟରେ ପ୍ରାୟ 45 ହଜାର ବ୍ୟକ୍ତି ରାସ୍ତା ଦୁର୍ଘଟଣାରେ ପ୍ରାଣହରାଇଛନ୍ତି । ସେମାନଙ୍କ ମଧ୍ୟରେ 70% ହେଉଛନ୍ତି ଯୁବପିଢି । ମୁଖ୍ୟ ଚିନ୍ତାର ବିଷୟ ଏହିକି ଯେ ଆମ ରାଜ୍ୟରେ ପ୍ରତି ଶହେଟି ଦୁର୍ଘଟଣାରେ 48 ଜଣ ପ୍ରାଣ ହରାଉଥିବା ବେଳେ ଜାତୀୟ ସ୍ତରରେ ଏହା 36 ରହିଛି । ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ରାଜ୍ୟରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ 2030 ମସିହା ସୁଦ୍ଧା 50 ପ୍ରତିଶତ ଦୁର୍ଘଟଣା ମୃତ୍ୟୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆମ ରାଜ୍ୟ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛି ।

ସଡ଼କ ସୁରକ୍ଷା ପରିଷଦର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ସଡକ ସୁରକ୍ଷା ଏବେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସଡକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୋଲିସ୍‌ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଇଂଜିନିୟରିଂ ବିଭାଗ, ଶିକ୍ଷା ବିଭାଗ, ଟ୍ରକ୍‌-ବସ୍‌ ମାଲିକ ସଙ୍ଘ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ଉପଯୁକ୍ତ ସମନ୍ୱୟ ହିଁ ସଡ଼କ ସୁରକ୍ଷା ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତ ପ୍ରକାଶ କରିଛନ୍ତି ।

ଆମ ରାଜ୍ୟରେ 2022 ମସିହାରେ 5 ହଜାର 467 ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପାଖାପାଖି 5 ହଜାର ଜଣ ଗୁରୁତର ଆହତ ହୋଇଛନ୍ତି । 2023 ମସିହା ଜାନୁୟାରୀ ଓ ଜୁନ ମାସରେ ଗତବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ପ୍ରାୟ 5% ବୃଦ୍ଧି ପାଇଛି । ଆମ ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟାରେ ସଡକ ଦୁର୍ଘଟଣା ଘଟି ଲୋକମାନେ ପ୍ରାଣ ହରାଉଛନ୍ତି ।

ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବଜେଟରେ ସଡ଼କ ସୁରକ୍ଷା ନିମନ୍ତେ 'ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା'ନାମରେ ଏକ ନୂଆ ଯୋଜନା ପ୍ରଚଳନ କରାଯାଇଛି ଏବଂ ଏହି ଯୋଜନାରେ 145 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତି ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ ସ୍ଥାପନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଲକ୍ଷ୍ମୀ ଯୋଜନା ପ୍ରଚଳନ କରିବାକୁ ଯାଉଛୁ । ଆମ ରାଜ୍ୟରେ ପ୍ରାୟ 70% ଦୁର୍ଘଟଣା ଦ୍ରୁତଗତି ଯୋଗୁଁ ଘଟୁଛି । ସେହିପିର ନିଶାସକ୍ତ ଗାଡିଚାଳନା, ରାସ୍ତାର ବିପରୀତ ପାଶ୍ୱର୍ରେ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ଏହା ସବୁଠାରୁ ଚିନ୍ତାର ବିଷୟ ଯେ, 2022 ମସିହାରେ ସମୁଦାୟ 5467 ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ 2498 ଜଣ ମୋଟର ସାଇକେଲ ଚାଳକ ବା ସହଯାତ୍ରୀ ଅଟନ୍ତି । ଏହି ମୃତକଙ୍କ ମଧ୍ୟରୁ 1695 ଜଣ ହେଲମେଟ୍‌ ପିନ୍ଧି ନଥିବାରୁ ମୃତ୍ୟୁମୁଖରେ ପଡିଛନ୍ତି । ତେଣୁ ମୋଟର ସାଇକେଲ ଚାଳକ ଓ ଯାତ୍ରୀ ହେଲମେଟ ପିନ୍ଧିବା ଆଇନକୁ କଡାକଡି ଅନୁପାଳନ କରିବାର ଆବଶ୍ୟକତା ରହିଛି । ଯଦି ଆମେ ହେଲମେଟ ପିନ୍ଧିବାକୁ ଏକ ଅଭ୍ୟାସରେ ପରିଣତ କରିପାରିବା ତେବେ ବହୁ ଅମୂଲ୍ୟ ଜୀବନରକ୍ଷା ପାଇପାରିବ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ କହିଲେ ଯେ ବ୍ଲକ୍‌ସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଡ଼କ ନିର୍ମାଣ ସହ ସଂପୃକ୍ତ ଥିବା ଇଂଜିନିୟରମାନେ ଏକ ବିଶେଷଜ୍ଞ ଦଳଠାରୁ ଉନ୍ନତ ସଡ଼କ ନିର୍ମାଣ ପ୍ରଶିକ୍ଷଣ ନେବା ଜରୁରୀ । ରାଜଧାନୀ ଓ ରାଜଧାନୀ ମଧ୍ୟକୁ ଆସୁଥିବା ଅଟୋ ଡ୍ରାଇଭରମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧରେ ଜାଗରୁକ କରାଇବା ଦରକାର । ବିଶେଷଜ୍ଞମାନେ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆବଶ୍ୟକ । ରାସ୍ତା ପାଶ୍ୱର୍ସ୍ଥ ପିଏଚ୍‌ସି ଓ ସିଏଚ୍‌ସିରେ ଦୁର୍ଘଟଣାଗ୍ରସ୍ତଙ୍କୁ ଜରୁରୀ ଚିକିତ୍ସା ସମ୍ବନ୍ଧରେ ପ୍ରଶିକ୍ଷିତ କରାଇବା ଉଚିତ୍‌ ।ରେଡ୍‌କ୍ରସ୍‌/ ସେଣ୍ଟଜନ୍‌ ଫାଷ୍ଟ ଏଡ୍‌ ଦଳ ରାସ୍ତା ପାଶ୍ୱର୍ସ୍ଥ ଗ୍ରାମାଞ୍ଚଳରୁ ଅନୁନ୍ୟ 10 ଜଣଙ୍କୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସମ୍ବନ୍ଧରେ ପ୍ରଶିକ୍ଷିତ କରିବେ । ସଡ଼କ ସୁରକ୍ଷା ସେ୍ୱଚ୍ଛାସେବୀମାନଙ୍କ ବାର୍ଷିକ ସମ୍ମେଳନ ଅନୁଷ୍ଠିତ ହୋଇ ସ୍ଥାନୀୟ ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଗଲେ ଦୁର୍ଘଟଣା କମିବା ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସମୁଚିତ ସହାୟତା ମିଳିପାରିବ ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଯେ, ସଡକ ଦୁର୍ଘଟଣା ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସର୍ବଦା ଚେଷ୍ଟିତ ଅଛନ୍ତି । ସଡକ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ First Respond Training ଦିଆଯାଇଛି । Black spot ଗୁଡ଼ିକୁ ଚିହ୍ନଟ କରି ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ରୋଡ ସାଇନେଜ୍‌ ଅଡିଟ୍‌ କରାଯାଉଛି । ଦୁର୍ଘଟଣାର ପ୍ରଥମ 48 ଘଣ୍ଟା ପର୍ଯ୍ୟନ୍ତ 18 ଟି ଲେଭେଲ-1 ଟ୍ରମା ସେଣ୍ଟର ଥିବା ପ୍ରାଇଭେଟ୍‌ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଟ୍ରାଫିକ୍‌ପୋଲିସ ଓ ରୋଡ ଇଞ୍ଜିନିୟରମାନଙ୍କ ପାଇଁ ଟ୍ରେନିଂ ପ୍ରୋଗ୍ରାମ କରାଯାଉଛି । ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ଜୁନିୟର ରକ୍ଷକ ପ୍ରଚଳନ କରି ସମସ୍ତ NCC କ୍ୟାଡ଼େଟମାନଙ୍କୁ ଟ୍ରେନିଂ ଦେବା, ପ୍ରତି ଜିଲ୍ଲାରେ Traffic Training park ସ୍ଥାପନ କରିବା, ସୁବାହକ ଯୋଜନାରେ ଏ ବର୍ଷ 50 ହଜାର ଚାଳକଙ୍କୁ refresh Training ଥିବା ଓ 50 ହଜାର ନୂଆ Heavy Vehicle Driver ସୃଷ୍ଟିକରିବା, ଟ୍ରକ ଟର୍ମିନାଲ ସ୍ଥାପନ ଓ CCTV ପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ସହ High Way patrolling ବ୍ୟବସ୍ଥା ସଂପ୍ରସାରଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଗୋଟିଏ ସଡକ ଦୁର୍ଘଟଣା କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପଗୁଡିକୁ ନିୟମିତ ଭାବେ ତଦାରଖ କରୁଛନ୍ତି । ଏହି କମିଟିର ସେକ୍ରେଟେରୀ 26 ତାରିଖରୁ 30ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ଗସ୍ତ କରିଥିଲେ । ଆମ ରାଜ୍ୟ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକୁ, ବିଶେଷକରି, ସୋଲାସିୟମ ଫଣ୍ଡ ସ୍କିମ୍‌ର ସେ ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟ ଶାସନ ସଚିବ ଏବଂ ସଂଶ୍ଲିଷ୍ଟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଡକ ସୁରକ୍ଷା ବୈଠକ ମଧ୍ୟ ନିୟମିତ ଭାବେ ବସୁଛି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଉଛି ବୋଲି ଶ୍ରୀମତୀ ଉଷା ପାଢ଼ୀ ପ୍ରକାଶ କରିଥିଲେ ।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ରାଜ୍ୟର ସଡ଼କ ସୁରକ୍ଷା ଓ ଦୁର୍ଘଟଣାର ବିଭିନ୍ନ ଦିଗ ସମ୍ବନ୍ଧରେ ଏକ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ । 2023 ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ରାଜ୍ୟରେ 6272 ଟି ସଡ଼କ ଦୁର୍ଘଟଣାରେ 2991 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ 2022 ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ 6029 ଟି ସଡ଼କ ଦୁର୍ଘଟଣାରେ 2894 ଜଣ ପ୍ରାଣ ହରାଇଥିଲେ । 2023 ଜାନୁଆରୀରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 597 ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ 453, କଟକ ଜିଲ୍ଲାରେ 404, କେଉଁଝର ଜିଲ୍ଲାରେ 403, ଗଞ୍ଜାମ ଜିଲ୍ଲାରେ 386 ଟି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାଗୁଡ଼ିକ ମୁଖ୍ୟତଃ ଯାନବାହନର ଅତ୍ୟଧିକ ବେଗ, ମଦ୍ୟପାନ କରି ଗାଡ଼ି ଚଳାଇବା, ରାସ୍ତାର ବିପରୀତ ପାଶ୍ୱର୍ରେ ଗାଡ଼ି ଚଳାଇବା, ନାଲି ଲାଇଟ୍‌ ସଂକେତକୁ ନ ମାନିବା, ଗାଡ଼ି ଚଳାଉଥିଲାବେଳେ ମୋବାଇଲ ଫୋନ୍‌ର ବ୍ୟବହାର ଯୋଗୁଁ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+