ପୂର୍ବତନ ଯବାନଙ୍କ ଉନ୍ମକ୍ତ କାଣ୍ଡ, ଖଣ୍ଡା ଓ ମାର୍ତୁଲ ଧରି ବଜାରରେ ଖେଳାଇଲେ ଆତଙ୍କ
କଟକ: ଯବାନଙ୍କ ହାତରେ ଖଣ୍ଡା ଓ ମାର୍ତୁଲ । ବଜାର ସାରା ଖଣ୍ଡା ବୁଲାଇ ଖେଳାଇଲେ ଆତଙ୍କ । ଲୋକଙ୍କୁ କଲେ ଭୟଭୀତ । ଏପରିକି ଏଥିରୁ ବର୍ତ୍ତିନାହିଁ ପୋଲିସ୍ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ବଜାରରେ ।
ଜଣେ ଅବସରପ୍ରାପ୍ତ ଯବାନ ହାତରେ ଖଣ୍ଡା ଓ ମାର୍ତୁଲ୍ ଧରି ବଜାରରେ ଲୋକଙ୍କୁ ଭୟଭୀତ କରିଛନ୍ତି । ଯବାନ ଜଣକ ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ ବୋଲି ଜଣାପଡ଼ିଛି । ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି ।

ତା ସହ ହାତରେ ଧରିଛନ୍ତି ଅଭିଯୋଗ ପତ୍ର । ସରୋଜ ଦାବି ପୂରଣ କରିବାକୁ ଅଡିବସିଥିଲେ । ଏହି ସମୟରେ ତାଙ୍କୁ କାବୁ କରିବାକୁ ଯାଇଥିବା ପୋଲିସ ଉପରେ ବି ସେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ସରୋଜ ସେମାନଙ୍କୁ ଖଣ୍ଡାରେ ହାଣିବାକୁ ଗୋଡ଼ାଇଥିଲେ । ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଯବାନଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଛି ପୋଲିସ୍ । ପୋଲିସକୁ ହାଣିବାକୁ ଖଣ୍ଡା ବୁଲାଇଥିଲେ । ଏପରି 3 ଘଣ୍ଟା ଧରି ଅବସର ଯବାନ ଜଣଙ୍କ ପୋଲିସକୁ ନାକେଦମ କରିଥିଲେ । ପରେ ଅବସର ଯବାନଙ୍କ କୁଆଡେ ପଳାଇଯାଇଥିଲେ ।
ନିଜର ଅଭିଯୋଗ ପତ୍ରରେ ପ୍ରଶାସନ ନିକଟରେ ସେ ନିଜର ଦାବି ଲେଖିଥିଲେ । ତେବେ ଯବାନ ଜଣଙ୍କ ଏପରି କାହିଁକି କଲେ, ଏହା ପଛରେ କ'ଣ କାରଣ ରହିଛି ତାହା ଜଣାପଡ଼ିନାହିଁ । ଅବସରପ୍ରାପ୍ତ ଯବାନ ଜଣେ ଭଲ ଲୋକ । ସେ ଲୋକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରୁଥିଲେ ବୋଲି ଲୋକେ କହିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ ସରୋଜ ଏକ ଗାଡି କିଣିଥିବା ବେଳେ ଗାଡି ବିକ୍ରେତା ତାଙ୍କୁ ଗାଡିର କୌଣସି କାଗଜପତ୍ର ଆଜି ପର୍ଯ୍ୟନ୍ତ ଦେଉନଥିବାରୁ ସେ ବାରମ୍ବାର ପୋଲିସକୁ ଜଣାଇଥିଲେ । ମାତ୍ର ପୋଲିସ କୌଣସି ସମାଧାନ କରୁନଥିବାରୁ ସେ ବାଧ୍ୟ ହୋଇ ଏପରି କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।












Click it and Unblock the Notifications