ଅଲିଭ୍-ରିଡଲେଙ୍କ ସୁରକ୍ଷା ପାଇଁ ମାଛମରା ବନ୍ଦ, 7 ମାସ ଧରି ରହିବ କଟକଣା
ଭୁବନେଶ୍ୱର: ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ମାଛ ମରା ଉପରେ ଲାଗୁ ହୋଇଛି କଟକଣା । ସମୁଦ୍ରରୁ ମାଛ ଧରିବା ନେଇ 7 ମାସ ଲାଗି କଟକଣା ଜାରି କରାଯାଇଛି । ଉପକୂଳଠାରୁ ସମୁଦ୍ର ଭିତରକୁ 20 କିଲୋମିଟର ପର୍ଯ୍ୟନ୍ତ ମାଛମାରିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆଗାମୀ ମେ' 31 ଯାଏଁ ମାଛ ମରା ଉପରେ କଟକଣା ରହିବ । ଏହା ସହ ଋଷିକୂଲ୍ୟା, ଧାମରା ଓ ଦେବୀ 3 ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି ।

ମାଛଧରା ବୋଟ୍ ଓ ଟ୍ରଲର୍ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । 1437 ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ 160 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର ଚଳାଚଳ କରିବ ନାହିଁ ।
ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ବାବୁବାଲି ଓ ଅଗରନାସିରେ ଦୁଇଟି ଅଫିସ ଓ 14ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ । ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ବୋଲି ଡିଏପଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ଏପଟେ ପ୍ରାୟ 7 ମାସ ଯାଏଁ ମୁଦ୍ରରୁ ମାଛ ନ ଧରିବା ପରେ ମତ୍ସଜୀବୀଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ । ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି ।












Click it and Unblock the Notifications