ଅଣସର ଘରେ ଗୁପ୍ତ ସେବା, ଆଜି ଦଳମୂଳ ଖାଇ ସୁସ୍ଥ ହେବେ ମହାପ୍ରଭୁ

ପୁରୀ: ସ୍ମାନବେଦୀରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପର ଠାରୁ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ । ମହାପ୍ରଭୁଙ୍କ ଗୁପ୍ତସେବାର ଏହେଉଛି ବିଶେଷ ନୀତି ।
ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି । ଶ୍ରୀବୈଦ୍ୟଙ୍କ ଦ୍ବାରା ଏହି ଔଷଧ ପ୍ରସ୍ତୁତି କରାଯାଇଥାଏ । ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଇଥାଏ ।
ଏହାପରେ ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ବାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।
ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଦଇତାପତି ସେବକମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ ।












Click it and Unblock the Notifications