ରଥାଯାତା ବେଳେ 5 ସୂତ୍ରୀ ନିୟମକୁ ଫୁ ! ରଥ ଉପରେ ମାଳ ମାଳ ଅଣସେବାୟତ, ଫଟୋ ଉଠାଇ କଲେ ରିଲ୍ସ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରରୂପେ କରିବାକୁ ବିଭିନ୍ନ ପ୍ରସ୍ତୁତି କରିଥିଲା ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ହୋଇଥିଲା 5 ସୂତ୍ରୀ ନିୟମ । ହେଲେ ଏହି ନିୟମକୁ ମାଡ଼ି ମକଚି ରଥ ଉପରେ ଚଢିଲେ ମାଳ ମାଳ ଅଣସେବାୟତ । ରଥ ଉପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଛୁଇଁବା ସହ ରିଲ୍ସ କରି ସୋସିଆଲ ମିଡ଼ିଆରେ ଅପଲୋଡ ମଧ୍ୟ କରିଛନ୍ତି । ଏହା ଭାଇରା ହେବା ପରେ ସାଧାରଣ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ପ୍ରଶାସନ ପକ୍ଷରୁ ହୋଇଥିବା 5 ସୂତ୍ରୀ ନିୟମ ଅନୁଯାୟୀ ରଥ ଉପରେ କୌଣସି ଅଣ ସେବାୟତ ଚଢ଼ିବେ ନାହିଁ କି ମହାପ୍ରଭୁଙ୍କୁ ସ୍ପର୍ଶ କରିବେ ନାହିଁ । ଏପରିକି କୌଣସି ସେବାୟତ ରଥ ଉପରକୁ ମୋବାଇଲ ଫୋନ୍ ନେଇ ପାରିବେ ନାହୁଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା । ଏ ନେଇ ରଥ ସମନ୍ୱୟର ବିଭିନ୍ନ ବୈଠକରେ ବିଭିନ୍ନ ସେବାୟତ ନିଯୋଗ ସହ ରଥଯାତ୍ରା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସଚେତନ ମଧ୍ୟ କରାଯାଇଥିଲା ।
ବୈଠକ ଓ ସଚେତନତା ସତ୍ତ୍ୱେ କିଭଳି ଅଣ ସେବାୟତ ରଥରେ ଚଢ଼ି ଶ୍ରୀଅଙ୍ଗକୁ ଛୁଇଁଲେ, ଅଣ ସେବାୟତଙ୍କୁ ଏଥିପାଇଁ କିଏ ସହଯୋଗ କଲା, ସେମାନେ ପାସ୍ କେଉଁଠୁ ପାଇଲେ, ସ୍ୱିକୃତିପ୍ରାପ୍ତ ସେବାୟତ ଏହାକୁ ବିରୋଧ କଲେନି କାହିଁକି... ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ତଦନ୍ତ କରାଯିବ । ଯିଏ ନିୟମ ଉଲ୍ଲଂଘନ କରିଥିବେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।












Click it and Unblock the Notifications