ଆଜି ସୁନାବେଶ, ଜାଣନ୍ତୁ କେଉଁ ଭଗବାନ ପିନ୍ଧନ୍ତି କେଉଁ ଅଳଙ୍କାର ?
Suna Besha : ଆଜି ହେବ ମହାପ୍ରଭୁଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଠାକୁରଙ୍କ ହେବ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ । ରଥ ଉପରେ ମଧ୍ୟାହ୍ନ ଧୂପ, ମଇଲମ ନୀତି ହେବ । ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ପରେ ସୁନାବେଶ ଆରମ୍ଭ ହେବ ।

ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ । ଭଗବାନଙ୍କ ସୁନାବେଶରେ 138 ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି ।
ଆସନ୍ତୁ ଜାଣିବା କେଉଁ ଠାକୁର ପିନ୍ଧିଥାନ୍ତି କେଉଁ ଅଳଙ୍କାର ?
ବଳଭଦ୍ରଙ୍କ ଅଳଙ୍କାର :
ବଡ଼ ଭାଇ ବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ ଅଳଙ୍କାରରେ ସଜେଇ ହୁଅନ୍ତି ।
ଭଉଣୀ ସୁଭଦ୍ରା:
କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତି ।
ପ୍ରଭୁ ଜଗନ୍ନାଥ :
ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି।












Click it and Unblock the Notifications