ନବ ଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ନବଯୌବନ ବେଶରେ ମହାପ୍ରଭୁ । 14 ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ସକାଳ 8 ଟାରୁ ପରିମାଣିକ ବା ଟିକେଟ ଦର୍ଶନ ଜାରି ରହିଛି । ଏହା ପରେ 9 ଟାରୁ 11 ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ଏଥର ଉଭା ଯାତ୍ରା ପଡୁ ନ ଥିବାରୁ ଭକ୍ତମାନେ ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ।

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ କରିଥିବା ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଦିନ 11 ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ । ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।
ସେପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ରଥ ପଥ ଜଗନ୍ନାଥ । ଆଜି ତିନି ରଥକୁ ଟାଣି ଟାଣି ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯିବ । ଆଜି ସକାଳ ଧୂପ ପରେ ତିନି ବାଡରୁ ଆଜ୍ଞା ମାଳ ଆସିବ । ତିନି ରଥକୁ ଆଜ୍ଞାମାଳ ଯିବା ପରେ ସିଂହଦ୍ୱାରକୁ ରଥଟଣା ଯିବ ।
ସେପଟେ ଘୋଷଯାତ୍ରାକୁ ନେଇ ରଥଟଣାର ମକଡ୍ରିଲ କରିଛି ପୋଲିସ । ଭିଡ଼ ଭିତରେ ରଥ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି । ପୁରୀ ସାହିବାସିନ୍ଦା ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ଟ୍ରାଫିକ୍ ପ୍ଲାନ । ଟ୍ରାଫିକ୍ ବ୍ୟବସ୍ଥାକୁ 14ଟି ସେକ୍ଟର ଓ 29ଟି ଯୋନରେ ବିଭକ୍ତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ୍ ଏବଂ ରେଗୁଲାର ବସ୍ ପାଇଁ ସ୍ୱତନ୍ତ୍ର ରୁଟ୍ ପ୍ଲାନ ହୋଇଛି । ରଥଯାତ୍ରା ସମୟରେ ପୁରୀକୁ 125ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ । ତଟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟରେ ହିଟୱେଭ୍ ପ୍ରକୋପ ଜାରି ରହିଥିବା ବେଳେ ରଥଯାତ୍ରା ସମୟରେ ସମସ୍ତ ପୋଲିସଙ୍କ ପାଖରେ ମହଜୁଦ ରହିବ ପାଣି ଓ ଓଆରଏସ୍ ।
ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ 15 ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ସମୟରେ ପ୍ରବଳ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ 50 ଲକ୍ଷ ପାଣି ବୋତଲ ବଣ୍ଟାଯିବା ସହ ଜଳ ସିଞ୍ଚନ, ୱାଟର ସ୍ପ୍ରେୟାର ସହ ଅନ୍ୟାନ୍ୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications